ଭୁବନେଶ୍ବର:ଆରସିଏମ କଲେଜ ରାଜଧାନୀର ବେଶ ଜଣାଶୁଣା ମ୍ୟାନେଜମେଣ୍ଟ କଲେଜ । ହେଲେ ଏହା କାହାର, ଏହାକୁ ଚଳାଉଛି କିଏ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । ଆରସିଏମ ସୋସାଇଟି ନା ଆରସିଏମ ଟ୍ରଷ୍ଟ । ଏହି ବିବାଦ ମଧ୍ୟରେ ରୁନ୍ଧି ହୋଇଯାଇଛି ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ।
ତେଣୁ ପିଲାଙ୍କ ପରୀକ୍ଷା କରିବା, ପାଲ ଭଳି ଜଣେ ମାଫିଆ ଠାରୁ କଲେଜକୁ ବଞ୍ଚାଇବା ଓ କଲେଜକୁ ସ୍ୱାଭାବିକ କରିବା ଦାବି ନେଇ ଉତ୍କଳ ୟୁନିଭେର୍ସିଟି ଭିସିଙ୍କୁ ଘେରିଛନ୍ତି କଲେଜର ଅଧ୍ୟାପକ ଓ ପ୍ରିନ୍ସିପାଲ । ତେବେ ପାଲ ହଠାଅ, ଆରସିଏମ ବଞ୍ଚାଅ ଏହି ନାରା ଦେଇଛନ୍ତି ଅଭିଯୋଗକାରୀ । କାରଣ ବିବିଏ ଓ ବିସିଏ ଛାତ୍ରଛାତୀ କଲେଜ କାହାର ଦ୍ଵନ୍ଦ୍ବକୁ ନେଇ ପରୀକ୍ଷା ଦେବାରୁ ବଞ୍ଚିତ ଥିବାବେଳେ ଏଠାରେ ପାଠ ପଢ଼ାଉଥିବା ଅଧ୍ୟାପକ ଓ କର୍ମଚାରୀ ଦେଢ଼ ବର୍ଷ ହେବ ଦରମା ପାଇନଥିବା ଅଭିଯୋଗ କରିଛନ୍ତି ।
ଏଥିସହ ୫ ବର୍ଷ ତଳେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ସେମାନଙ୍କ ସାର୍ଟିଫିକେଟ ପାଇ ପାରିନାହାନ୍ତି । ଏପରିକି ଏହି ଦ୍ଵନ୍ଦାତ୍ମକ ଘଟଣାକୁ ନେଇ କଲେଜରେ ୧୪୪ ଜାରି ହୋଇଛି । କଲେଜର ଅନୁବନ୍ଧ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବାରୁ ଏହିସବୁ ସମସ୍ୟାର ସମାଧାନ ପାଇଁ ଅଧ୍ୟାପକ ଅଧ୍ୟାପିକା କୁଳପତିଙ୍କୁ ଘେରିଛନ୍ତି । କାରଣ ସେହି କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରବୀର ପାଲ ୨୦୧୪ ରେ ଅବସର ନେବା ପରେବି ନିଜର ଏକଛତ୍ରପତି ଶାସନ ଚଲାଇ କଲେଜକୁ ନିଜଅକ୍ତିଆରକୁ ନେବା ଆଉ ଅର୍ଥ ହଡପ କରୁଥିବା ଅଭିଯୋଗ କରିଛନ୍ତି ଅଧ୍ଯାପକ । ସେପଟେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଆଗଷ୍ଟ ୧୬ ରେ ଥିବା ପରୀକ୍ଷାକୁ ଉତ୍କଳ ୟୁନିଭରର୍ସିଟି ନିଜେ ପରୀକ୍ଷା କରିବା ପାଇଁ ପ୍ରତିକ୍ରିୟା ରଖିଛନ୍ତି କୁଳପତି ସବିତା ଆଚାର୍ଯ୍ୟ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ