ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷାକୁ ନେଇ ଛିଣ୍ଡୁନି ଅଙ୍କ । ପ୍ରଥମେ ପରୀକ୍ଷା ହେବ କି ନାହିଁ ଦ୍ବନ୍ଦ୍ୱ ଲାଗିବା ପରେ ବାତିଲ ହୋଇଛି ସତ ହେଲେ ରେଜଲ୍ଟ କିପରି ବାହାରିବ, ତାକୁ ନେଇ ଅଣ୍ଟା ଭିଡିଛି ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଏଥିପାଇଁ ଆସନ୍ତା ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରିବା ପରେ କିପରି ମାର୍କିଂ ଓ ଫଳ ପ୍ରକାଶ ପାଇବ ସେନେଇ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ସେପଟେ ବାତିଲ ପରେ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶା ଆଶଙ୍କା ସହ ଆଶାନୂରୁପ ଫଳାଫଳ ପାଇବେ କି ନାହିଁ ଉତ୍କଣ୍ଠା ଦେଖାଦେଇଛି ।
ଅପରପଟେ ଶିକ୍ଷାବିତଙ୍କ ମତରେ ଆଉ ବିଳମ୍ବ ନ କରି ତୁରନ୍ତ ଫଳାଫଳ ଘୋଷଣା କରାଯାଉ। ତେବେ ଏଥିଲାଗି ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି । ଆସନ୍ତା ୧୫ ଦିନ ଭିତରେ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଯେଉଁଥିରେ ପରିଷଦର ସଦସ୍ୟଙ୍କ ସମେତ ଶିକ୍ଷାବିତ ଓ ପ୍ରମୁଖ ଷ୍ଟେକହୋଲ୍ଡର ସଦସ୍ୟ ରହିବେ। ଏହାସହ ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଢାଞ୍ଚାକୁ ଅନୁଧ୍ୟାନ କରି ଫଳ ପ୍ରକାଶର ବିକଳ୍ପ ପନ୍ଥା କ’ଣ ହେବ ସେନେଇ ଆଲୋଚନା ହେବ। ଏହାପରେ ପିଲାଙ୍କୁ କେଉଁ ଆଧାରରେ କିପରି ମାର୍କ ଦିଆଯିବ ତାର ନିଷ୍ପତ୍ତି ନିଆଯିବ ।
ତେବେ ସିବିଏସଇ ଏବଂ ଆଇସିଏସଇ ରେଜଲ୍ଟ ପ୍ରକାଶ ସମୟରେ ସିଏଚଏସଇ ପରୀକ୍ଷା ଫଳ ବାହାରିବ ଏହା ସ୍ପଷ୍ଟ ହୋଇଥିବା ବେଳେ ତାହା କେବେ ଓ ମୂଲ୍ୟାୟନ କିପରି ହେବ ତା ଉପରେ ଏବେ ସଭିଁଙ୍କ ନଜର। ତେବେ ଏହାକୁ ନେଇ ଶିକ୍ଷାବିତ ପ୍ରୀତିସ ଆଚାର୍ଯ୍ୟ କହିଛନ୍ତି ଯେ, ଯୁକ୍ତ ଦୁଇର ପରୀକ୍ଷା ବାତିଲ ହେଲା ପରେ ଏବେ ଚିନ୍ତା ରହିଛି ପିଲାଙ୍କ ଫଳାଫଳ । ଭବିଷ୍ୟତ ପାଇଁ ପିଲାଙ୍କୁ କିଭଳି ମାର୍କ ଦିଆଯିବ ଓ ପିଲାଙ୍କୁ ଖୁସି କଲାଭଳି ମାର୍କ କିଭଳି ଦିଆଯିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯଦି ମାଟ୍ରିକ ପରୀକ୍ଷାର ଫଳାଫଳକୁ ନେଇ ମୂଲ୍ୟାୟନ କରାଯାଏ, ତେବେ ଅନେକ ପିଲା ଏଥିରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ। ତେଣୁ ସେମାନଙ୍କ ପାଇଁ ଏକ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସେହିପରି ପିଲାମାନେ ମଧ୍ୟ ମାର୍କକୁ ନେଇ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ