ଭୁବନେଶ୍ବର: ରାଜ୍ୟରେ କୋଭିଡ଼ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡ଼ାକ୍ତରଖାନା ଯିବା ସମ୍ଭବ ହୋଇପାରୁନାହିଁ ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଟେଲି ମେଡ଼ିସିନ୍ ସେବା । ଏହା ଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡ଼ାକ୍ତରଙ୍କ ସହ ସିଧା ସଳଖ ଯୋଗାଯୋଗ କରି ପାରିବେ ଓ ରୋଗର ଉପଚାର ମଧ୍ୟ ପାଇ ପାରିବେ । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ସେବା ପ୍ରଥମେ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡ଼ିକାଲ କଲେଜ, ରାଉରକେଲାର ଆରଜିଏଚ୍, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତର କ୍ୟାନସର ପ୍ରତିଷ୍ଠାନ ଓ ଶିଶୁଭବନ ଏହିପରି ମୋଟ ୪୧ଟି ସ୍ଥାନରେ ଆରମ୍ଭ ହେବ । ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ଏହି ସେବା ଓପିଡ଼ି ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେଡ଼ିକାଲ କଲେଜରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ ।
ଏହି ଟେଲି ମେଡ଼ିସିନ୍ ସେବା ଆସନ୍ତା ୨୦ ଜୁଲାଇରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଓକାକ୍ ପକ୍ଷରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ ସେଟ୍ ହିସାବରେ ମୋଟ୍ ୮୨ଟି ସେଟ୍ ଓ ଏହା ସହିତ ସିମ୍କାଡ଼୍ ଯୋଗାଇ ଦିଆଯିବ । ଏହି ଫୋନ୍ ନମ୍ବର ଗୁଡ଼ିକ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରାଯିବ । ଫଳରେ ଜନସାଧାରଣ ଏହି ସେବାର ସୁଫଳ ପାଇପାରିବେ । ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ତଥା ଡ଼ିଏମ୍ଇଟି ପ୍ର ଡ଼ା ସି ବି କେ ମହାନ୍ତି, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ା ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ