କଟକ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୋଲିସ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି 1986 ବ୍ୟାଚର ଏହି ଆଇପିଏସ ଅଫିସର ।
ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଅଭୟଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ସେ ମୁଖ୍ୟାଳୟ ପରିସରରେ ଥିବା ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସମସ୍ତ ବରିଷ୍ଠ ଅଫିସରଙ୍କ ପାଖକୁ ଯାଇ କରମର୍ଦ୍ଦନ କରିଥିଲେ । ଏହାପରେ ନିଜ କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ।
ଦାୟିତ୍ବ ନେବାପରେ ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାକୁ କିଭଳି ପୋଲିସ ବିଭାଗରେ ଠିକ ଭାବରେ କାର୍ଯ୍ୟକାରୀ କରାଯିବ ସେନେଇ ଗୁରୁତ୍ବ ଦେବେ । ଦ୍ବିତୀୟତଃ ସରକାରଙ୍କ ‘୫ଟି’ କୁ କଡାକଡି ଭାବରେ ପୋଲିସ ବିଭାଗରେ କାର୍ଯ୍ୟକାରୀ କରାଯିବ। ତୃତୀୟରେ ମହିଳା ମାନଙ୍କ ସୁରକ୍ଷା ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ଏହାସହ କହିଛନ୍ତି ନକ୍ସଲଙ୍କ ଉପରେ ନଜର ରଖାଯିବ , ତେବେ ମାଫିଆଙ୍କ ଉପରେ ଯଥେଷ୍ଟ ନଜର ରଖାଯିବ ବୋଲି ନୂତନ ଡିଜି କହିଛନ୍ତି। ଶେଷରେ ତଦନ୍ତରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯିବ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ତେବେ ଦେଖିବାର କଥା ହେଉଛି ନୂତନ ଡିଜିପିଙ୍କ ଏହି 6 ସୂତ୍ରୀ ଫର୍ମୁଲା କେତେ ଫଳପ୍ରଦ ହେଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ