ଭୁବନେଶ୍ବର: ଭୁବନେଶ୍ବର ଦେଖିବ ସୂର୍ଯ୍ୟକିରଣ ଏୟାର ସୋ । ଏନେଇ କୁଆଖାଇ ପଠାରେ ଚାଲିଛି ଜୋରସୋର ପ୍ରସ୍ତୁତି । ଆସନ୍ତା ୧୬ରେ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ ଦେଖିବେ ସହରବାସୀ । ଆକାଶମାର୍ଗରେ କୌଶଳ ଦେଖାଇବେ ୯ ବିମାନ । ଏନେଇ ରାଜଧାନୀରେ ଜୋରସୋର ପ୍ରସ୍ତୁତ ଚାଲିଛି ।
ସୂଚନା ଅନୁଯାୟୀ, କୁଆଖାଇ ପଠା ବାଲିଯାତ୍ର ପଡିଆ ହେବ ସଭାସ୍ଥଳ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏୟାରଫୋର୍ସର ପଦାଧିକାରିଙ୍କ ସହ ହାଇପ୍ରୋଫାଇଲ ହେବେ ସାମିଲ । ଏନେଇ ଅତିଥିଙ୍କ ସଭାସ୍ଥଳ ପାର୍କିଂ ଓ ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ଏନେଇ ବାଲିଯାତ୍ରା ପଡିଆ ପରିଦର୍ଶନ କରିଛନ୍ତି ପୋଲିସ କମିଶନର୍ । ପୋଲିସ ଅଫିସରଙ୍କ ସହ କୁଆଖାଇ ପଠାର ଉଭୟ ପାର୍ଶ୍ବ ଓ ଯିବା ଆସିବା ବାଟ ବୁଲି ଦେଖିଛନ୍ତି । କିପରି ଜନସାଧାରଣଙ୍କ ସମାଗମ ହେବ ଏବଂ ଟ୍ରାଫିକ ପରିଚାଳନା ସୁରୁଖୁରୁରେ ହେବ ସେନେଇ ଆଲୋଚନା କରିଛନ୍ତି । ତେବେ ପାର୍କିଂ ଓ ପବ୍ଲିକଙ୍କ ସମାଗମ ସୁଗମ ହେବ । ଏନେଇ ଭିଆଇପିଙ୍କ ଗସ୍ତ କିପରି ସୁରକ୍ଷିତ ଓ ସୁବିଧା ଜନକ ହେବ ସେ ନେଇ ତମାମ ପ୍ରକ୍ରିୟା ର ଆଲୋଚନା କରାଯିବା ସହ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରାଯାଇଛି । ଅନ୍ୟପଟେ ଆର ଆଣ୍ଡ ବି ପକ୍ଷରୁ ସଭା ସ୍ଥଳରେ ଟେଣ୍ଟ ବାନ୍ଧାଯିବା ସହ ବାଲିଯାତ୍ରା ପଡିଆରେ ବାଲି ଓ ଚିପ୍ସ ପକାଇ ସମତୁଲ କରାଯାଇଛି । ଏଥିସହ ଦର୍ଶକ କିଭଳି ସୁବିଧାରେ ଏୟାର ସୋ ଦେଖିପାରିବେ ସେନେଇ ସମସ୍ତ ପ୍ରକାର ଆୟୋଜନ କରାଯାଉଛି ।
ସୂଚନା ଥାଉକି, ଏହି ସୋ’ ପ୍ରାୟ 45 ମିନିଟର ହେବ । ଏଥିରେ ବାୟୁସେନାର ପ୍ରଶିକ୍ଷିତ ପାଇଲଟ୍ମାନେ ଆକାଶରେ ତ୍ରିରଙ୍ଗା ଆଙ୍କିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୌଶଳ ଦେଖାଇବେ । ହେଲେ ଏହି ସୋ’ ପାଇଁ ପ୍ରାୟ 1 ଘଣ୍ଟାରୁ ଅଧିକ ସମୟ ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ବନ୍ଦ ରହିବ । ନିକଟ ଅତୀତରେ ଦୁବାଇରେ ଆୟୋଜିତ ଏୟାର ସୋ ରେ ଭାରତୀୟ ବାୟୁସେନାକୁ ପ୍ରିତନିଧିତ୍ବ କରିଥିଲା ସୂର୍ଯ୍ୟକିରଣ ଟିମ । ଦୁବାଇ ସହରର ବିଭିନ୍ନ ଐତିହାସିକ ସ୍ଥାନ ଉପରେ ଉଡାଣ ଭରି ସୂର୍ଯ୍ୟକିରଣ ଟିମ ସମସ୍ତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥଲା । ଏବେ ଓଡିଶାର ଦୁଇ ସ୍ଥାନରେ ଏହି ଏୟାର ସୋ ଆୟୋଜନ (Surya Kiran air Show in odisha) ହେବା ନେଇ ସୂଚନା ମିଳିବା ପରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀରେ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ସୋ କରାଯିବ । 16 ତାରିଖରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀପଠା ବାଲିଯାତ୍ର ପଡିଆରେ ଓ 18 ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ଉପରେ ସୂର୍ଯ୍ୟକିରଣ ସୋ କରାଯିବା ପାଇଁ ସ୍ଥିର ହୋଇଛି । ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି N32 ବିମାନରେ ଇଣ୍ଡକ୍ସନ ଟିମ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ C17 ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଏବଂ ସୋ'ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ ଆସି ପହଞ୍ଚିଛି । ତେବେ ଏହି ସୋ'ରେ 9ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ 2ଟି ଷ୍ଟାଣ୍ଡ ବାଏ ରହିବ ।
ଇଟିଭି ଭାରତ,ଭୁବନେଶ୍ବର