ଭୁବନେଶ୍ବର: ସାଧାରଣ ଯୁଦ୍ଧରେ 4ଟି ପର୍ଯ୍ୟାୟ ରହିଛି । ପ୍ରଥମେ ପ୍ରସ୍ତୁତିର ପର୍ଯ୍ୟାୟ । ଦ୍ବିତୀୟରେ ଯୁଦ୍ଧକ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟ । ତୃତୀୟରେ ଘମାଘୋଟ ଲଢେଇ ଓ ଚତୁର୍ଥ ପର୍ଯ୍ୟାୟ ହେଉଛି ସ୍ଥିରତାର ପର୍ଯ୍ୟାୟ । ତେବେ ଏବେ ଆମେ କୋରୋନା ଯୁଦ୍ଧର ଦ୍ବିତୀୟ ପର୍ଯ୍ୟାୟରେ ରହିଛୁ ବୋଲି ଆଜି ପ୍ରେସ ବିବୃତିରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।
ଆଜି ପ୍ରେସ ବିବୃତିରେ ଲଢେଇର ବିଶେଷତ୍ବ ସମ୍ପର୍କରେ ଆଲୋକପାତ କରି ବାଗଚୀ ଏହା କହିଛନ୍ତି । ସେହିପରି ଯୁଦ୍ଧର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ପର୍ଯ୍ୟାୟ 5 ପ୍ରକାରର । ତଥ୍ୟ ସଂଗ୍ରହ, ଯୁଦ୍ଧ ପରିଚାଳନା ପ୍ରସ୍ତୁତି ପର୍ବର ଆରମ୍ଭ, ସାମଗ୍ରିକ ପ୍ରସ୍ତୁତି, ଶତ୍ରୁ ସଙ୍ଗେ ଛଳ, ଯୁଦ୍ଧ କ୍ଷେତ୍ରରେ ଯୋଦ୍ଧା ମାନଙ୍କର ସମ୍ମିଳନୀ ।
ସେପଟେ ଦ୍ବିତୀୟ ପର୍ଯ୍ୟାୟ, ଯୁଦ୍ଧ କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟ । ପ୍ରାଥମିକ ହମ୍ଲା, ବ୍ୟୁହ ଭେଦ । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଘମାଘୋଟ ଲଢେଇ । ପୁନଃ ଆକ୍ରମଣ, ଶତ୍ରୁକୁ ବିତାଡ଼ନ, ଅନୁଧାବନ, ପରିସ୍ଥିତିର ଏକତ୍ରିକରଣ, ପ୍ରତିରକ୍ଷା, ପୁନଃ ସଂଗଠନ, ପୁନଃ ଆକ୍ରମଣ, ଯୁଦ୍ଧ ସମାପ୍ତି । ପରେ ଚତୁର୍ଥ ପର୍ଯ୍ୟାୟରେ ସ୍ଥିରତାର ପର୍ଯ୍ୟାୟ । ଯୁଦ୍ଧ ପରର ସ୍ବାଭାବିକ ସ୍ଥିତି, ନାଗରିକ ଅଧିକାରୀମାନଙ୍କୁ ପୁନଃଦାଇତ୍ବ ବୋଲି ଆଜି ସେ କହିଛନ୍ତି ।
ତେବେ ରାଜ୍ୟରେ ଗତ 45 ଦିନରେ କଣ ସମ୍ପର୍ଣ୍ଣ ହୋଇଛି । ରାଜ୍ୟରେ ଯେତେଦୂର ସମ୍ଭାବ୍ୟ ଆକ୍ରାନ୍ତଙ୍କର ତଥ୍ୟ ସଂଗ୍ରହ କରାଯାଇଛି । ଯୁଦ୍ଧ ପରିଚାଳନା ପାଇଁ ଜନ ଧନ ସାମଗ୍ରୀ ଏକାଠି କରାଯାଇଛି । ଲାକଡାଉନ ମଧ୍ୟରେ ଶତ୍ରୁକୁ ଜୟ କରାଯାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ । ସାଧାରଣ ଯୁଦ୍ଧରେ ସାଧାରଣ ଲୋକ ଅନେକ ଦୂରରେ ରୁହନ୍ତି । ଏହି ଯୁଦ୍ଧ ପ୍ରତି ଘରେ ଘରେ ପହଞ୍ଚିଛି। ଏଥିରେ ପ୍ରତ୍ୟେକ ଲୋକ ଜଣେ ଜଣେ ସୈନିକ ଅଟନ୍ତି ବୋଲି ଦର୍ଶାଇବା ସହ ସୈନିକର କର୍ତ୍ତବ୍ୟ କଣ ହେବା ଦରକାର ସେ ଉପରେ ଆଲୋକପାତ କରିଛନ୍ତି ।
ତେବେ ଆସନ୍ତୁ ନଜର ପକାଇବା ସୈନିକର କର୍ତ୍ତବ୍ୟ କଣ ହେବା ଦରକାର...
- ଅନୁଶାସନ
- ଶାରୀରିକ ଓ ମାନସିକ ବଳ
- ଅପାର ଧାର୍ଯ୍ୟ
- ପରିସର ପରିଚାଳନା ଓ ଶତ୍ରୁ ବିଷୟରେ ସଠିକ ଜ୍ଞାନ
- ପରସ୍ପର ସହ ସହଯୋଗ ଏବଂ ସମନ୍ବୟ
- ଲଗାତାର ଯୁଦ୍ଧ
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ