ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । କ୍ରମାଗତ ଭାବେ ରାଜ୍ୟ ମଧ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଛି । ଫଳରେ ପ୍ରବଳ ଜାଡ ଅନୁଭୁତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଥଣ୍ଡା ନେଇ ୪ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ କୋହଲା ପବନ ସାଙ୍ଗକୁ ତୀବ୍ର ଥଣ୍ଡା ଅନୁଭୂତ ହେବ ।
ଏହାର ପ୍ରଭାବରେ ଥଣ୍ଡା ଜନିତ ଅସୁସ୍ଥତା ଅନୁଭୂତ ହେବ । ସେହିପରି ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ନୂଆପଡା, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ଥଣ୍ଡା ଲହରି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି (ମଙ୍ଗଳବାର) ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଆଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ଡା ଲହରି ଜାରି ରହିବ । ଉପକୂଳରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ କମିବ । ଭୁବନେଶ୍ବରରେ ତାପମାତ୍ରା ୧୩ ଡିଗ୍ରୀ ଓ କଟକରେ ୧୨ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ୧୦ ଡ଼ିଗ୍ରୀ ତଳେ ୧୦ ସହରରେ ପାରଦ ରହିଛି । ଫୁଲବାଣୀରେ ୪ଡିଗ୍ରୀ, ଝାରସୁଗୁଡାରେ ୫.୮ ଡିଗ୍ରୀ, ଦାରିଙ୍ଗବାଡିରେ ୬ ଡିଗ୍ରୀ, ଅନୁଗୁଳରେ ୬.୬ ଡିଗ୍ରୀ, କୋରାପୁଟ ଠାରେ ୭ ଡିଗ୍ରୀ, ଭବାନୀପାଟଣାରେ ୭.୮ ଡିଗ୍ରୀ ,ବଲାଙ୍ଗୀରରେ ୮.୮ ଡିଗ୍ରୀ, ବୌଦ୍ଧରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୩ଡିଗ୍ରୀ, ଓ ସୋନପୁରରେ ୯.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କଟକ ୧୧ ଓ ଭୁବନେଶ୍ବରରେ ୧୨.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ