ଭୁବନେଶ୍ବର: ଟଙ୍କା ଅଭାବରୁ ବିଭିନ୍ନ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ସେପଟେ ବିଭିନ୍ନ ଅଦାଲତରେ ମାମଲା ଯୋଗୁଁ ରାଜସ୍ୱ ଆଦାୟ ବନ୍ଦ ରହିଛି । ବିଭିନ୍ନ ଅଦାଲତରେ ଚାଲିଥିବା ମାମଲା ଯୋଗୁଁ ରାଜ୍ୟ ସରକାରଙ୍କର ୧୪ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇନପାରି ପଡ଼ିରହିଛି । ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, "ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୩,୫୪୦.୫୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରିପାରିନାହାଁନ୍ତି । ସେଥିମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ୧୪,୪୪୦.୫୮ କୋଟି ଟଙ୍କା ଅଟକି ରହିଛି । ସୁପ୍ରିମକୋର୍ଟରେ ୬୧୪.୯୦ କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ୱ ବକେୟା ମାମଲା ଚାଲିଛି । ଓଡିଶା ହାଇକୋର୍ଟରେ ୮୬୭୮.୪୪ କୋଟି ଏବଂ ଅନ୍ୟାନ୍ୟ ଅଦାଲତରେ ୫୧୪୭.୨୩ କୋଟି ଟଙ୍କାର ରାଜସ୍ୱ ଅଟକି ରହିଛି ।"
ସେହିପରି ରାଜ୍ୟର ମୋଟ୍ ବାକିଆ ଟିକସ ଅର୍ଥ ମଧ୍ୟରେ ବାଣିଜ୍ୟକର ଟିକସ ବାବଦରେ ୧୧,୫୯୨.୮୩ କୋଟି ଟଙ୍କା ରହିଛି । ବିଦ୍ୟୁତ ଡ୍ୟୁଟି ବାବଦୀୟ ୪୧୮୭.୬୧ କୋଟି, ଷ୍ଟାମ୍ପଡ୍ୟୁଟି ବାବଦରେ ୨୧୭.୫୭ କୋଟି, କୃଷି ଜଳକର ବାବଦରେ ୨୨.୫୭ କୋଟି, ମୋଟର ଟିକସ ବାବଦରେ ୩୧୧.୭୫ କୋଟି, ଶିଳ୍ପକୁ ଜଳଯୋଗାଣ ବାବଦରେ ୪୯୧୪.୫୬ କୋଟି ଏବଂ ଜଙ୍ଗଲ ବିକାଶ ଟିକସ ବାବଦରେ ୧୩୧.୩୯ କୋଟି ଟଙ୍କା ପଡି ରହିଛି ।
ତେବେ ଅଦାଲତରେ ମାମଲା ଯୋଗୁଁ ବାଣିଜ୍ୟକର ଟିକସ ବାବଦରେ ୬୭୭୯.୬୮କୋଟି, ବିଦ୍ୟୁତ୍ ଡ୍ୟୁଟି ବାବଦରେ ୧୫୩୪.୯୦ କୋଟି, ଖଣି ରୟାଲିଟି ବାବଦରେ ୨୦୭୦.୦୩ କୋଟି, ଏକ୍ସାଇଜ ଡ୍ୟୁଟି ଆକାରରେ ୯୨.୨୦ କୋଟି, ମୋଟରଯାନ ଟିକସ ଆକାରରେ ୮୧.୧୨ କୋଟି, ଶିଳ୍ପକୁ ଜଳ ଟିକସ ବାବଦରେ ୩୮୩୦.୩୬ କୋଟି ଏବଂ ଜଙ୍ଗଲ ବିକାଶ ଟିକସ ବାବଦରେ ୫୨.୨୯ କୋଟି ପଡି ରହିଛି ।
ତେଣୁ ଅଦାଲତରେ ଗଡୁଥିବା ମାମଲାର ତୁରନ୍ତ ଫଏସଲା ପାଇଁ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ, ପବ୍ଲିକ ପ୍ରସିକ୍ୟୁଟେର, ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଏବଂ ଷ୍ଟାଣ୍ଡି କାଉନସେଲ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଆବଶ୍ୟକ ପଡିଲେ ଗୁରୁତ୍ୱପୂର୍ଣ୍ଣ ମାମଲା ପାଇଁ ସରକାର ସ୍ୱତନ୍ତ୍ର କାଉନସେଲମାନଙ୍କୁ ଆଣି ନିୟୋଜିତ କରୁଥିବା ମନ୍ତ୍ରୀ କହିଛନ୍ତି ।
ବାକିଆ ରାଜସ୍ୱ ଆଦାୟ ପାଇଁ ରାଜ୍ୟ ସରକାର କେତେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହା ମଧ୍ୟରେ ସ୍ୱତନ୍ତ୍ର କାଉନସେଲ ନିଯୁକ୍ତି, କୋର୍ଟ ବାହାରେ ମାମଲା ରଫାଦଫା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି । ଆପିଲେଟ କର୍ତ୍ତୃପକ୍ଷଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ପଡି ରହିଥିବା ବାଣିଜ୍ୟକର ସମ୍ପର୍କିତ ମାମଲାଗୁଡିକର ଫଏସଲା ପାଇଁ ରାଜ୍ୟ ସରକାର କହିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ରାଜସ୍ୱ ଆଦାୟ ସଂକ୍ରାନ୍ତରେ ନିୟମିତ ମନିଟରିଂ କରୁଛନ୍ତି ।
ବକେୟା ରାଜସ୍ୱ ଆଦାୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଭୟ ଟିକସ ଓ ଅଣଟିକସ ଆଦାୟ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ୨୦୨୨-୨୩ ବର୍ଷରେ ରାଜ୍ୟର ନିଜସ୍ୱ ଟିକସ ଆଦାୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ବକେୟା ରାଜସ୍ୱ ଆଦାୟ ହୋଇପାରିଲେ ରାଜ୍ୟ ପାଇଁ ତାହା ବଡ ସହାୟକ ହେବ ।
ଇଟିଭି ଭାରତ, ଭୁବନେଶ୍ବର