ଭୁବନେଶ୍ବର: ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରାଜ୍ୟ ପାଇଁ ଖୁସି ଖବର । ତେବେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖାଦେଇଛି । ଫଳରେ ନୂଆ ନୂଆ ଧାରା ଦେଖିବାକୁ ମିଳୁଛି ।
ସେହିପରି ବଡ କଥା ହେଉଛି ଏହି ଦିଗରେ ମୋଟ ବଜେଟ ଦୁଇ ଗୁଣ ହୋଇଛି । ଏଥିସହ ୨୦୧୫ରେ ସିଏସଆର ବାବଦରେ ୧୦ ହଜାର କୋଟି ଟଙ୍କାର ବଜେଟ ରହୁଥିବା ବେଳେ ୨୦୧୯ରେ ଏହା ୧୯ ହଜାର କୋଟିକୁ ବୃଦ୍ଧି ହୋଇଛି । ତେବେ ସିଏସଆର(CSR) କନକ୍ଲେଭ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିବାବେଳେ ସାମାଜିକ କାର୍ଯ୍ୟକ୍ରମ କରିବା, ରାଜ୍ୟକୁ ପରିବର୍ତ୍ତନର ସ୍ରୋତରେ ଆଗେଇ ନେବା ଶୀର୍ଷକ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ମତ ରଖିଛନ୍ତି ।
![ରାଜ୍ୟ ପାଇଁ ଖୁସି ଖବର, ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget](https://etvbharatimages.akamaized.net/etvbharat/prod-images/od-bbsr-10-csr-conclave-7209787_12042022193303_1204f_1649772183_332.jpg)
ସେହିଭଳି ଆଜିର ଏହି କାର୍ଯ୍ୟକ୍ରମ Vedanta, JSPL, JSW, MCL, HAL, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ, ଉତ୍କଳ ଆଲୁମିନା, ଟିପିସିଓଡିଏଲ୍, ଡାଲମିଆ ସିମେଣ୍ଟ, ନାଲ୍କୋ, FACOR, ଟାଟା ଷ୍ଟିଲ୍ ଇତ୍ୟାଦି ସାମିଲ ହୋଇଥିଲେ । ଏଥିସହ CII, UCCI ଭଳି ଶିଳ୍ପସଂଘ ମଧ୍ୟ ଅଂଶଗ୍ରହଣ କରିଥିଲେ ।ଏହି କନକ୍ଲେଭକୁ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସିଜେ ଭେନୁଗୋପାଲ ଏବଂ ଜଣାଶୁଣା କର୍ପୋରେଟ ଆଇକନ ତପନ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ ।
ଏସିଏସ ସିଜେ ଭେନୁଗୋପାଲ କହିଛନ୍ତି ଯେ, ଜଳବାୟୁ କାର୍ଯ୍ୟ ଏବଂ ସବୁଜ ଶକ୍ତି ଉପରେ ଶିଳ୍ପ ଗୁଡିକ ଅଧିକ ଧ୍ୟାନ ଦେବାକୁ ହେବ । କର୍ପୋରେଟ ସଂସ୍ଥା ସେମାନଙ୍କ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ ମଧ୍ୟରେ ନୂଆ ଦିଗକୁ ଆପଣାଇବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ତଥା ବିକାଶ ପାଇଁ ସିଏସଆରଏକ ବଡ ଭୂମିକା ରହିଛି । ଆଲୋଚନା ପାଇଁ ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ଏକାଠି ହୋଇ ଶିଳ୍ପସଂସ୍ଥାର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଛନ୍ତି ।
ଶିଳ୍ପ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ସମ୍ବୋଧିତ କରି କର୍ପୋରେଟ ଆଇକନ ତପନ ଚାନ୍ଦ କହିଛନ୍ତି ଯେ, ସିଏସଆର ଉପରେ ଆଇନଗତ ବ୍ୟବସ୍ଥା ପ୍ରଣୟନ କରିବା ଫଳରେ ଏହି ବଜେଟ ଦ୍ୱିଗୁଣିତ ହୋଇପାରିଛି । ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢିଛି । ତେବେ ସିଏସଆରରେ ନୂଆ ଟ୍ରେଣ୍ଡ ଉପରେ ଆମକୁ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଗସିପ ସିଏସଆର(CSR) ପ୍ରକଳ୍ପ ବିଷୟରେ ଏଥିରେ ଉପସ୍ଥାପନା କରିଛନ୍ତି । ସମସ୍ତ ସଂଗଠନ ଏକ ମିଶନ ସହିତ ରାଜ୍ୟରେ ସିଏସଆର(CSR) କାର୍ଯ୍ୟକାରୀ କରିବା ଏବଂ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । କନକ୍ଲେଭରେ ଉଦୀୟମାନ ଉଦ୍ୟୋଗୀ ୱାଲେଟ ଫର ୱେଲଥର ଏମ ଡି ତ୍ରିନାଥ ଲେଙ୍କା ଏବଂ ଓଡିଶାର ସୁଦୂର ଅଞ୍ଚଳରେ ସେବା ଯୋଗାଉଥିବା ଇକୋ ଟୁରିଜିମ ସଂଗଠନ ସୁଧାକର ରାଓ ନିଜ ନିଜର ସେବା ସମ୍ପର୍କରେ ଉପସ୍ଥାପନା କରିଛନ୍ତି ।
ତ୍ରିନାଥ ଆର୍ଥିକ ଶିକ୍ଷା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ସେବାଗୁଡିକ ଉପସ୍ଥାପନ କରିଛନ୍ତି । ଏହି କମ୍ପାନୀ ପୂର୍ବରୁ ଓଡିଶାର ପାଞ୍ଚଟି ସ୍ଥାନରେ କାର୍ଯ୍ୟ କରୁଛି । ଲୋକଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ସେବା ଯୋଗାଇବା ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି ।
ଅନ୍ୟପଟେ କନକ୍ଲେଭରେ ଦାମନଯୋଡିରେ ୱାଲେଟ ଫର ୱେଲଥର ଷଷ୍ଠ ଆଉଟଲେଟ ଉଦ୍ଘାଟନ ହୋଇଛି । ସମସ୍ତ ଅଂଶ ଗ୍ରହଣକାରୀ ମାନେ ସିଏସଆର(CSR)ର ଏଜେଣ୍ଡାରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ରଖିବା ପାଇଁ ତ୍ରିନାଥଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ