ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗା ମିଶନରେ 5 ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ମିଳିବ ଘର (Cabinet decision on Jaga Mission) । ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା (Urban development Minister Pratap Jena) ।
କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, 5 ଟି ମହାନଗର ନିଗମ ଅଧିନରେ ରହିଛି ପ୍ରାୟ 938ଟି ବସ୍ତି । ଏହି ଯୋଜନାରେ ପ୍ରାୟ 1 ଲକ୍ଷ 90 ହଜାର ପରିବାରର 8 ଲକ୍ଷ 58 ହଜାର ବସ୍ତିବାସିନ୍ଦା ଉପକୃତ ହେବେ । ଏହି କାର୍ଯ୍ୟ 6 ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦାଙ୍କୁ 45 ବର୍ଗ ମିଟର ଯାଏ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ ।
ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଅଧିନିୟମ, 2017 ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଛି । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନର ପରିସରଭୁକ୍ତ ହୋଇଛି ।
ନଗର ନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ 2017 ମସିହାରେ ଓଡିଶା ମହାନଗର ନିଗମ ଅଧିନିୟମ -2003ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଛି । କିନ୍ତୁ ଉପରୋକ୍ତ ସଂଶୋଧନ ପରେ 4 ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦା ମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରିନଥିଲା । ଏଥିଯୋଗୁଁ ନଗର ନିଗମ ଗୁଡିକରେ ବାସକରୁଥିବା 2 ଲକ୍ଷରୁ ଉର୍ଦ୍ଧ୍ଵ ବସ୍ତିବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ସମ୍ପତ୍ତିଗତ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟା ଗୁଡିକୁ ଉପଲବ୍ଧିକରି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ 2003 କୁ ସଂଶୋଧନକୁ ଆଜି କ୍ୟାବିନେଟ ମଞ୍ଜୁରୀ ଦେଇଛି ।
ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ, ତେବେ 30 ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । ଏତଦ ବ୍ୟତୀତ କୌଣସି ଅର୍ଥ ନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି 30 ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ 30 ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ