ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ମଙ୍ଗଳବାର କ୍ୟାବିନେଟ୍ ମୋଟ 8ଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି ।
ପ୍ରଥମତଃ ନୂତନ କୃଷି ନୀତି 'ସମୃଦ୍ଧି'-୨୦୨୦କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଚାଷୀଙ୍କୁ ଆୟକୁ ବହୁଗୁଣିତ କରିବା ସହ ସେମାନଙ୍କ ଉତ୍ପାଦନ ଦ୍ରବ୍ୟ ଉଚିତ ମୂଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା ଏବଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ନୂତନ କୃଷି ନୀତି ପ୍ରଣୟନ ହୋଇଛି । ଏହି ନୂତନ କୃଷି ନୀତି-2020କୁ ରାଜ୍ୟ ସରକାର 'ସମୃଦ୍ଧି' ନାମରେ ନାମିତ କରିଛନ୍ତି ।
ଓଡ଼ିଆ ବିଶ୍ଵବିଦ୍ୟାଳୟ 2019 ନିୟମ 3 ଅନୁଯାୟୀ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିଥିଲା । ଗତ 2018 ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟ ସତ୍ୟବାଦୀକୁ ସ୍ଥାନାନ୍ତରଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛନ୍ତି । ସେହିପରି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ 2 କୋଟି 15ଲକ୍ଷ 64 ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡକୁ ମଞ୍ଜୁର କରାଯାଇଛି ।
ଓଡିଶା ସିଭିଲ ସର୍ଭିସ କ୍ୟାଡର ନିୟମରେ ସଂଶୋଧନ, 5'ଟି' ଓ 'ମୋ ସରକାର' ରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ସେହି ଅଧିକାରୀଙ୍କୁ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି କରାଯିବ । ଗ୍ରୁଫ-ଏ ଅଧିକାରୀ ମାନଙ୍କ ପାଇଁ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ମୁଖ୍ୟ ଶାସନ ସଚିବ କରିବେ । ଗ୍ରୁପ୍-ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ ଏବଂ ରାଜସ୍ବ ବିଭାଗର ଆରଆଇ ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ । ଯେଉଁଥିପାଇଁ ଡିପ୍ଲୋମା ପିଲା ମଧ୍ୟ ଆବେଦନ କରିପାରିବେ । ଏଥିସହିତ ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ