ଭୁବନେଶ୍ବର: ନବରତ୍ନା ନାଲକୋର ପରବର୍ତ୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇବେ ଶ୍ରୀଧର ପାତ୍ର । ଏନେଇ ରାଷ୍ଟ୍ରାୟତ ଉଦ୍ୟୋଗ ସିଲେକ୍ସନ ବୋର୍ଡ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ ବୈଠକରେ କେବଳ ଚୂଡାନ୍ତ ମୋହର ବାଜିବାକୁ ବାକି ରହିଛି ।
ବର୍ତ୍ତମାନର ଅଧ୍ୟକ୍ଷ ଆସନ୍ତା ନଭେମ୍ବର ମାସରେ ଅବସର ନେଉଛନ୍ତି। ଏଥିପାଇଁ ନୂତନ ଅଧ୍ୟକ୍ଷ ଚୟନ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗ ସିଲେକ୍ସନ ବୋର୍ଡ 4 ଜଣଙ୍କ ସାକ୍ଷାତକାର ନିଆଯାଇଥିଲା । ନୂତନ ଅଧ୍ୟକ୍ଷ ଦୌଡରେ ଶ୍ରୀଧର ପାତ୍ରଙ୍କ ସମେତ ରାଷ୍ଟ୍ରାୟତ ସେଲର ବାଣିଜ୍ୟିକ ନିର୍ଦ୍ଦେଶକ ସୋମା ମଣ୍ଡଳ, ମେକନର ଅଧ୍ୟକ୍ଷ ଅତୁଲ ଭଟ୍ଟ, ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ ପାୱାର କର୍ପୋରେସନର ନିର୍ଦ୍ଦେଶକ ଏମ ଶିବା ଶୁନମୁଗାନାଥନ ପ୍ରମୁଖ ରହିଥିଲେ । ଆଜି ରାଷ୍ଟ୍ରାୟତ ଉଦ୍ୟୋଗ ସିଲେକ୍ସନ ବୋର୍ଡ ଏହି 4 ଜଣଙ୍କ ସାକ୍ଷାତକାର ନେବା ପରେ ଶ୍ରୀଧରଙ୍କ ନାଁକୁ ସୁପାରିଶ କରିଛନ୍ତି। ଶ୍ରୀଧର ଏବେ ନାଲକୋ ବିତ୍ତ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ