ଭୁବନେଶ୍ବର : ସ୍ମାର୍ଟସିଟିରେ କାମ ଦେଉନି ଷ୍ଟ୍ରିଟ ଲାଇଟ । ସରକାର କା ମାଲ ଦରିୟା ମେ ଡାଲ। ଏହି ନୀତିରେ ଚାଲିଛି ବିଏମସି। ତାର ନିଛକ ଉଦାହରଣ ହେଉଛି ଭୁବନେଶ୍ବର ମହାନଗର ନିଗମରେ ଥିବା ଷ୍ଟ୍ରିଟ ଲାଇଟ। ୬୦ ହଜାର ଷ୍ଟ୍ରିଟ ଲାଇଟ ବାବଦକୁ ମାସକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାଜଧାନୀର ସଂଖ୍ୟାଧିକ ସ୍ଥାନରେ ଜଳୁନାହିଁ ଷ୍ଟ୍ରିଟ ଲାଇଟ ,ଲୋକ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମିଳୁନି ସୁଫଳ।ଏହାର ସୁଯୋଗ ନେଇ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ଅସାମାଜିକ ବ୍ୟକ୍ତି। ହେଲେ ବିଏମସିର ଅଜବ ଯୁକ୍ତି ଷ୍ଟ୍ରିଟ ଲାଇଟ ଜଳୁଛି ,ଯଦି କୌଣସି ଅଭିଯୋଗ ଆସେ ତେବେ ତୁରନ୍ତ ଏହାକୁ ସମାଧାନ କରାଯିବ ବୋଲି କହୁଛନ୍ତି।
ଏ ହେଉଛି ଭୁବନେଶ୍ବର ବଡଗଡ ବ୍ରିଟ କଲୋନୀର ଝରଣା ସାହି। ଏଠିକାର ଲୋକସଂଖ୍ୟା ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ। କିନ୍ତୁ ବିଡମ୍ବନା ହେଉଛି ଏଠି ଅଧେ ଦିନ ଏକାଧିକ ଷ୍ଟ୍ରିଟ ଲାଇଟ ଜଳେନି।ଏ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ,ବିଏମସିରେ ଅଭିଯୋଗ କରିଛନ୍ତି ହେଲେ କେହି ଶୁଣିବାକୁ ନାହିଁ ।ଏହି ଅଞ୍ଚଳରେ ଥିବା ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ଷ୍ଟ୍ରିଟ ଲାଇଟରୁ ୧୦ ପ୍ରତିଶତ ଷ୍ଟ୍ରିଟ ଲାଇଟ ଜଳୁନି।ଦୋଷ କାହାର ଏ ବାବଦରେ କେହି ଜଣେଇବାକୁ ଆଗ୍ରହୀ ନଥିବାବେଳେ ଦିନ ଦିନ ଧରି ସନ୍ଧ୍ୟା ବେଳେ ଅନ୍ଧାରରେ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ରୁ ଦିନ କାଟୁଛନ୍ତି ସାଧାରଣ ଲୋକେ।
ବିଏମସି ର ତଥ୍ୟ ଅନୁସାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜଳୁଛି ପ୍ରାୟ ୬୦,୦୦୦ ଷ୍ଟ୍ରିଟ ଲାଇଟ।ଏଥିପାଇଁ ପିପିପି ମୋଡ଼ ବା ଭାଗିଦାରୀ ଆଧାରରେ ଦୁଇଟି ଘରୋଇ କମ୍ପାନୀ ଇ ସ୍ମାର୍ଟ ଓ ଲିଭ ଏନର୍ଜୀକୁ ଦାଇତ୍ୱ ଦିଆଯାଇଛି ଏବଂ ବାବଦରେ ମାସକୁ ଖର୍ଚ୍ଚ ହେଉଛି ୧୨ ଲକ୍ଷ ୨୫୦୦୦।ଲୋକଙ୍କ ଟଙ୍କା ସରକାରୀ ତାହବିଲ ରୁ ଖର୍ଚ୍ଚ ହେଉଛି କିନ୍ତୁ ଲୋକଙ୍କ ପାଖରେ ସୁବିଧା ପହଂଚୁନି।ଏହି କାରଣରୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ସହ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଛି।ଏନେଇ ବିଭିନ୍ନ ସମୟରେ ଲୋକମାନେ ଆନ୍ଦୋଳନ କରିଛନ୍ତି।ହେଲେ ଶୁଣିବାକୁ କେହି ନାହିଁ।କିନ୍ତୁ ଏ ପ୍ରସଙ୍ଗରେ ବିଏମସି ର ଉତ୍ତର ହେଉଛି ଖୁବ ଚିରା ଚରିତ।ଲୋକଙ୍କୁ ସୁବିଧା ସୁଯୋଗ ଦେବାପାଇଁ ସ୍ମାର୍ଟସିଟି ରେ ଅଧିକରୁ ଅଧିକ ଷ୍ଟ୍ରୀଟ ଲାଇଟ ସଂଖ୍ୟା ବଢାଯାଉଛି।ଏବେ ଏହି ସଂଖ୍ୟା ୬୦,୦୦୦ହଜାର ରେ ପହଂଚିଲାଣି।ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ଏ ପର୍ଯ୍ୟନ୍ତ ମୋଟ ୯୦୦ ଅଭିଯୋଗ ପହଂଚିଛି।ଗତ ବର୍ଷ ପାଖାପାଖି ୧୨୦୦ ଅଭିଯୋଗ ପହଞ୍ଚିଥିଲା।ଏକ୍ସପେନ୍ସନ ବା ସମ୍ପ୍ରସାରଣ ଏ ଦିଗରେ ଚାଲିଛି।କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନି, ଆସିଲେ ସଙ୍ଗେସଙ୍ଗେ ମରାମତି କରାଯିବ।
ବିଏମସିର ଯୋଜନା ବଡ ହେଲେ ତାର ଅନୁପାଳନ ଆଦୌ ହେଉନାହିଁ । କାରଣ ଅତୀତରେ ବିଏମସି ପରିଚାଳିତ ବିଭିନ୍ନ ବିଭାଗରେ ସାଧାରଣ ଲୋକଙ୍କ ହିତରେ ଅନେକ ଯୋଜନା ହାତକୁ ନିଆଯାଇଛି। କିନ୍ତୁ ମାତ୍ର କିଛି ସମୟ ବ୍ୟବଧାନ ପରେ ଅନିଶ୍ଚିତତା ଭିତରେ ଠେଲି ହୋଇଯାଉଛି। ଷ୍ଟ୍ରୀଟ ଲାଇଟ କ୍ଷେତ୍ରରେ ମଧ୍ୟ ସମାନ ଅସୁବିଧା ନହେବ ବୋଲି କୁହାଯାଇ ନପାରେ। ଯାହାକୁ ନେଇ ସାଧାରଣ ବୁଦ୍ଧିଜୀବିଙ୍କ ମଧ୍ୟରେ ପ୍ରଶ୍ନ ସୃ୍ଷ୍ଟି ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ