ଭୁବନେଶ୍ବର: ବୁଧବାର ଠାରୁ ସାରା ରାଜ୍ୟରେ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ସାରା ରାଜ୍ୟରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ଲୋକମାନେ ବିଭିନ୍ନ ବଜାର, ଘାଟ, ଦୋକାନରେ ଅହେତୁକ ଭିଡ଼ କରୁଥିବା ଦେଖିବାକୁ ମିଳୁଛି । ଅତ୍ୟଧିକ ଜିନିଷପତ୍ର ଘରେ ମହଜୁଦ ରଖିବା ଲାଗି ଲୋକ ଦୋକାନ ଆଗରେ ଭିଡ଼ ଲଗାଉଛନ୍ତି । ସରକାରଙ୍କ ନଜରରେ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
ଅଯଥା ଭିଡ଼ ନକରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ଏସଆରସି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାଦ୍ୟ ସାମଗ୍ରୀ, ଦୋକାନ ସୌଦା, ମାଛ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସକାଳ 6ରୁ ଦିନ 12 ପର୍ଯ୍ୟନ୍ତ ଏହି ଦୋକାନ ଖୋଲା ରହିବ । କେବଳ ଶନିବାର ଓ ରବିବାର ବନ୍ଦ ରହିବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ଏହାଛଡା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଚାଲୁ ରହିଛି । ତେଣୁ କେହି ଅଯଥା ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାର ଆବଶ୍ୟକତା ନାହିଁ ବୋଲି ଏସଆରସି କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ