ଭୁବନେଶ୍ବର: କଟକ ମୁଣ୍ଡୁଳୀରେ ପିକ୍ରେ ରହିଛି ବନ୍ୟାଜଳ ପ୍ରବାହ(Odisha flood situation) । ଆଗାମୀ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରବାହ ଜାରି ରହିଛି । ପ୍ରାୟ ରାତି ୩ଟା ପର୍ଯ୍ୟନ୍ତ ପିକ୍ ପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରାଯାଉଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (SRC) ପ୍ରଦୀପ କୁମାର ଜେନା ।
ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାଜଳ ସମୁଦ୍ରରେ ପହଞ୍ଚିବା ପାଇଁ ଆହୁରି ୧୨ରୁ ୧୮ ଘଣ୍ଟା ସମୟ ଲାଗିବ । ମହାନଦୀର ଦୁଇଟି ସ୍ଥାନ ପୁରୀର ମକରା, ଖୋର୍ଦ୍ଧା ରଜୁଆରେ ଘାଇ ସୃଷ୍ଟି ହୋଇଛି । ୧ ଲକ୍ଷ ୨୦ ହଜାର ଲୋକ ଜଳଘେରୀରେ ରହିଥିବା ବେଳେ ୨୬ରୁ ୨୭ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ନେଇ ସୂଚନା ଦେଇଛନ୍ତି SRC ।
ଆବଶ୍ୟକତା ଦୃଷ୍ଟିରୁ 9 ଜିଲ୍ଲାର 26 ହାଜର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ବର୍ତ୍ତମାନ ହୀରାକୁଦ ଭିତରକୁ ପଶୁଛି 6 ଲକ୍ଷ 36 ହଜାର କ୍ୟୁସେକ ଜଳ । ନିଷ୍କାସିତ ହେଉଛି 6ଲକ୍ଷ 74 ହଜାର 722 କ୍ୟୁସେକ ଜଳ । 40ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।
10 ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । 49 ବ୍ଲକ 369 ଗ୍ରାମ ପଂଚାୟତର 1366 ଗ୍ରାମ, 9 ଟି ସହରାଞ୍ଚଳ ବନ୍ୟା ଦ୍ୱାରା ହୋଇଛି ପ୍ରଭାବିତ । 9 ଜିଲ୍ଲାର 26 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । କଟକର ଗତିରାଉତପାଟଣାର ସରସ୍ୱତୀ ଶିଶୁ ମନ୍ଦିରରେ ବହୁ ଛାତ୍ରଛାତ୍ରୀ ଫସି ରହିଥିଲେ । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରାୟ 450 ଛାତ୍ରଛାତ୍ରୀ ଉଦ୍ଧାର ହୋଇସାରିଲେଣି । ବନ୍ୟାରେ 707 ଘର ଭାଙ୍ଗିଲାଣି । 24 ହଜାର ହେକ୍ଟର ଜମିରେ ପାଣି ମାଡ଼ିଯାଇଛି । ଲଗାଣ ବର୍ଷା ଯୋଗୁଁ 43 ବ୍ଲକ ପ୍ରଭାବିତ ହୋଇଛି । ମୁଣ୍ଡଳୀରେ ବର୍ତ୍ତମାନ 12 ଲକ୍ଷ 1 ହଜାର 426 କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର