ଭୁବନେଶ୍ବର: ପାଖେଇ ଆସୁଛି ପାର୍ବଣ ଋତୁ । ଦଶହରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଗୁରୁବାର ଜନ୍ମାଷ୍ଟମୀରେ ମାଟି ଅନୁକୂଳ କରାଯାଇଛି । ଭୁବନେଶ୍ବରର ବିଭିନ୍ନ ଦୁର୍ଗାପୂଜା ସମିତିର କର୍ମକର୍ତ୍ତା କୁଆଖାଇ ନଦୀ ପଠାରେ ପବିତ୍ର ଜନ୍ମାଷ୍ଟମୀରେ ପୂଜାର୍ଚ୍ଚନା କରିବା ସହ ମାଟି ଅନୁକୂଳ କରିଛନ୍ତି । ଏହି ଉତ୍ସବରେ ମହାବୀର ପୂଜା କମିଟିର ସଭ୍ୟ ଏକତ୍ରିତ ହୋଇ ପାରମ୍ପରିକ ବାଦ୍ୟ ଓ ଶଙ୍ଖଧ୍ଵନୀ ସହିତ କୁଆଖାଇ ନଦୀପଠାର ମାଟିକୁ ପୂଜାର୍ଚ୍ଚନା ଓ ହୋମ କରି ମାଟି ଅନୁକୂଳ କରିଛନ୍ତି ।
ଏହି ପବିତ୍ର ମାଟିରେ ଗଙ୍ଗାନଦୀର ମାଟି ମିଶାଯାଇ ଦୂର୍ଗା ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ଗଠନ କରାଯିବ । ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷେତ୍ରରେ ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ବେଳେ ସେହି ସମୟରେ ଯଶୋଦାଙ୍କ ଗର୍ଭରୁ ଏକ କନ୍ୟା ଜନ୍ମ ହୋଇଥିଲା । ଯିଏକି ବିଜୁଳିକନ୍ୟା, ମହାମାୟା ଓ ଦୂର୍ଗା ନାମରେ ନାମିତ ବୋଲି ପୌରାଣିକ ଉପାକ୍ଷାନରେ ବର୍ଣ୍ଣିତ ହୋଇଛି । ତେଣୁ ଜନ୍ମାଷ୍ଟମୀ ଦିନ ମାଟି ଅନୁକୂଳ କରିବାର ପରମ୍ପରା ଦୀର୍ଘ ବର୍ଷଧରି ଦୂର୍ଗାପୂଜା ସମିତି ପାଳନ କରି ଶାରଦୀୟ ଦୂର୍ଗାପୂଜାର ଅୟମାରମ୍ଭ କରିଆସୁଛନ୍ତି ।
ଦିର୍ଘ ଦୁଇ ବର୍ଷ ଧରି କୋରୋନା ଜନିତ ପ୍ରଶାସନିକ କଟକଣା ଯୋଗୁଁ ଦୂର୍ଗାପୂଜା ପାଇଁ ମାଟି ଅନୁକୂଳ ନିରଡାମ୍ବର ଭାବେ କରାଯାଇଥିଲା । ଚଳିତ ବର୍ଷ ସମସ୍ତ ଭକ୍ତମାନଙ୍କର ମିଳିତ ପ୍ରଚେଷ୍ଟାରେ ଏହା ମହା ସମାରୋହରେ ପାଳିତ ହୋଇଯାଇଛି।
ଇଟିଭି ଭାରତ, ଭୁବନେଶ୍ବର