ଭୁବନେଶ୍ବର: ଟ୍ରେନ ଯାତ୍ରା ସମୟରେ ଅଯଥାରେ ଚେନ୍ ପୁଲିଙ୍ଗର ଅପବ୍ୟବହାର ଟ୍ରେନ୍ ପରିଚାଳନା ଓ ସମୟାନୁବର୍ତ୍ତିତାକୁ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ଟ୍ରେନ ଚଳାଚଳ ବିଳମ୍ବ ଘଟାଏ । ଏହା ଏକ ଦଣ୍ଡନୀୟ ଅପରାଧ । ଏପରି କରୁଥିବା ବ୍ୟକ୍ତିଙ୍କୁ ତିନିମାସ ଜେଲ ଦଣ୍ଡ କିମ୍ବା 1000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇଥାଏ । ବାରମ୍ବାର ସଚେତନତା ଏବଂ ଜୋରିମାନା ଲାଗୁ କରିବା ପରେ ମଧ୍ୟ ବିଶେଷ ଭାବେ ଯାତ୍ରୀମାନେ ଏହାସହ ଜଡ଼ିତ ନିୟମ ବିଷୟରେ ପ୍ରାୟତଃ ସଚେତନ ନୁହଁନ୍ତି ।
ବେଆଇନ ଭେଣ୍ଡିଂ ଓ ସୁରକ୍ଷା କର୍ମୀ ଏବଂ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ପରିହାର କରି ରେଳ ସେକ୍ସନ ମଧ୍ୟରେ ଟ୍ରେନର ଚେନ ଟାଣିବା ରେଳବାଇର ନଜରକୁ ଆସିଥାଏ । ଏହାଦ୍ୱାରା ଟ୍ରେନ ଗୁଡିକର ଚଳାଚଳ ସ୍ଥିତିକୁ ବିଳମ୍ବ କରିଥାଏ । ଯାହା ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇଥାଏ । ରେଳବାଇ ମଧ୍ୟ ଏଥି ଯୋଗୁଁ ବହୁ ରାଜସ୍ୱ ହରାଉଛି ଏବଂ ଏହା ମାନବ ଜୀବନ ଓ ସମ୍ପତ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଚେନ୍ ଟାଣିବା ଉପରେ କଡା ନଜର ରଖିବା ପାଇଁ ପୂର୍ବତଟ ରେଳପଥ ଏହାର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟରକୁ ଏକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା ବଳ (ଆରପିଏଫ), ସିଭିଲ ଡିଫେନ୍ସ ୱିଙ୍ଗ ଏବଂ ପୂର୍ବତଟ ରେଳବାଇର ଅନ୍ୟ ରେଳ ଅଧିକାରୀ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଅଯଥାରେ ଟ୍ରେନ ଯାତ୍ରା ସମୟରେ ଚେନ ଟାଣିବାକୁ ବିରୋଧ କରିବାକୁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କୁ ଉପଦେଶ ଦେଇଛି । କହିଛି ଯେ ସାମାନ୍ୟ ଜରୁରୀ ପାଇଁ ସେମାନେ ଟ୍ରେନ କଣ୍ଡକ୍ଟର, ଟିଟିଇ, ଆରପିଏଫ୍ ଟ୍ରେନ୍ ଏସକର୍ଟ ଦଳ, କୋଚ୍ ଆଟେଣ୍ଡାଣ୍ଟ ଏବଂ ଅନ୍ୟ କୌଣସି ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କୁ ସୂଚିତ କରିପାରିବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ