ଭୁବନେଶ୍ବର: ବାପାଙ୍କ ପଛେ ପଛେ ଚାଲିଗଲେ ପୁଅ । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁର ଦଶ ଦିନ ପରେ ତାଙ୍କ ମଝିଆ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କର ଆଜି(ବୁଧବାର) ସକାଳେ ଦେହାନ୍ତ ହୋଇଛି । ସକାଳ ୭.୫୧ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ସେ ପୂର୍ବତନ ଓଡ଼ିଆ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ଭାବରେ ବେଶ ଜଣାଶୁଣା ଥିଲେ । କୋରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ତେବେ ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେସ୍ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ।
ପ୍ରକାଶ ଥାଉକି, ପ୍ରଶାନ୍ତଙ୍କ ଆଉ ଜଣେ ଭାଇ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏକା ସଙ୍ଗରେ ରଘୁନାଥ ମହାପାତ୍ର ଓ ତାଙ୍କ ଦୁଇ ପୁଅ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ରଘୁନାଥ ମହାପାତ୍ରଙ୍କ ବିୟୋଗ ହୋଇଥିବା ବେଳେ ଆଜି ତାଙ୍କୁ ପୁଅ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି । ମାତ୍ର 10 ଦିନ ତଳେ ରଘୁନାଥଙ୍କୁ ହରାଇ ପରିବାର ଭାଙ୍ଗି ପଡିଥିବାବେଳେ ପ୍ରଶାନ୍ତଙ୍କ ଦେହାନ୍ତରେ ପରିବାର ପାଦ ତଳୁ ମାଟି ଖସିପଡିଛି । ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ,ଇଟିଭି ଭାରତ