ଭୁବନେଶ୍ବର: ବିବାଦ ନେଲା ଉଗ୍ର ରୂପ । ସଇତାନ ପାଲଟି ଗଲା ଜ୍ବାଇଁ । ପତି ପତ୍ନୀ ମଧ୍ୟରେ ବିବାଦ(Husband wife dispute )ରୁ ପତିର ମୁଣ୍ଡରେ ଚଢିଲା ପିତ । ପତ୍ନୀ ବାପ ଘରୁ ନ ଆସିବାରୁ ପତି ଶ୍ବଶୁର ଘର ଲୋକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲା ଜ୍ବାଇଁ(Son in law attempt to murder wife family member) । ଶେଷରେ ଘରେ ନିଆଁ ଲଗାଇବା ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ଜ୍ବାଇଁକୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମା ଫେଜ ୩ର ଲେନ ୨ ନମ୍ବର ଅଞ୍ଚଳରେ । ଗିରଫ ଯୁବକ ହେଲେ ସୌମ୍ୟ ରଞ୍ଜନ ନାୟକ ।
ମିଳିଥିବା ସୂଚନା ଅନୁଯାୟୀ, ମହେଶ୍ବର ନାୟକଙ୍କ ଝିଅକୁ ବିବାହ କରିଥିଲେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ନାୟକ । ତେବେ କିଛି ଦିନ ଧରି ପତି ପତ୍ନୀଙ୍କ ମଧ୍ୟ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ସୌମ୍ୟଙ୍କ ପତ୍ନୀ ଆସି ବାପ ଘରେ ଅର୍ଥାତ ଡୁମୁଡୁମାରେ ରହୁଥିଲେ । ଯାହାକୁ ନେଇ ସୌମ୍ୟ ଶ୍ବଶୁର ଘର ଲୋକଙ୍କ ଉପରେ ରାଗ ରଖିଥିଲେ । ଏନେଇ ଗତ ଅଗଷ୍ଟ ୨୪ ତାରିଖ ମଧ୍ୟ ରାତ୍ରି ପ୍ରାୟ ୨ଟା ୩୦ ମନିଟ ସମୟରେ ଶ୍ବଶୁର ଘରେ ପହଞ୍ଚିଥିଲେ ସୌମ୍ୟ । କିଛି ବନ୍ଧୁଙ୍କ ସହିତ ଶ୍ବଶୁର ଘରକୁ ଆସି ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ସମଗ୍ର ପରିବାରକୁ ମାରିଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ଶାଳକ ପେଟ୍ରୋଲ ଗନ୍ଧ ହେଉଥିବା ଜାଣିପାରି ନିଦରୁ ଉଠି ଯାଇଥିଲେ ଏବଂ କବାଟ ଖୋଲି ଦେଖିବା ବେଳେ ଅଭିଯୁକ୍ତ ଜ୍ବାଇଁ ଜଣକ ମାଚିସ୍ ଦ୍ଵାରା ନିଆଁ ଲଗାଇ ତାଙ୍କ ଉପରକୁ ଫୋପାଡି ଦେଇ ସେହି ସ୍ଥାନରୁ ଚମ୍ପଟ ମାରିଥିଲେ । ଫଳରେ ସୌମ୍ୟଙ୍କ ଶାଳକଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟଣା, ପୁଅ ଝିଅ ପରେ ଆଖି ବୁଜିଲେ ମାଆ
ଏହାପରେ ପରିବାର ସଦସ୍ୟ କୌଶଳ କ୍ରମେ ନିଆଁକୁ ଆୟତ୍ତ କରିଥିଲେ । ଏନେଇ ପିସିଆର ସହାୟତାରେ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ ସୌମ୍ୟଙ୍କ ଶ୍ବଶୁର । ସେଠାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଅଭିଯୁକ୍ତ ଜ୍ବାଇଁ ଘରେ ପୋଲିସ ଚଢାଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର