ଭୁବନେଶ୍ବର: ଏବେ ଚାଲିଛି ନାଗ ସାପଙ୍କ ପ୍ରଜନନ ଋତୁ । ବିଭିନ୍ନ ସ୍ଥାନରେ ଅଣ୍ଡା ଦେଉଛନ୍ତି ନାଗ ସାପ । ପ୍ରଜନନ ସମୟରେ ନାଗ ସାପ ପୂର୍ବ ଅପେକ୍ଷା ଅଧିକ ହିଂସ୍ର ହୋଇଥାନ୍ତି । ଏହି ସମୟରେ ନାଗ ସାପର ଦଂଶନ ଅଧିକ ଘାତକ ହୋଇଥାଏ । ନାଗ ସାପ ଦଂଶନରେ ଜୀବନ ହାନି ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ନେକ ହେଲ୍ପ ଲାଇନ । ଘର ଆଖପାଖ ଅଞ୍ଚଳ ସଫା ରଖିବା ସହିତ ଅପନ୍ତରା ସ୍ଥାନକୁ ସତର୍କତାର ସହ ବ୍ୟବହାର କରିବାକୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।
ସତର୍କ ସୂଚନା ଅନୁଯାୟୀ ମାର୍ଚ୍ଚରୁ ମେ ମାସ ଯାଏଁ ନାଗ ସାପ ଅଣ୍ଡା ଦେଇଥାଆନ୍ତି । ଏଣୁ ଲୋକମାନେ ନିଜ ବାଡି ବଗିଚାକୁ ସଫାସୁତୁରା ରଖନ୍ତୁ । ଯଦି ସାପ ଅଣ୍ଡା ଦେଇଥିବ ତାହେଲେ ଶୀଘ୍ର ଜଣାପଡିଯିବ । ନହେଲେ 45-60 ଦିନ ପରେ ନାଗ ସାପ ଛୁଆ ଘର ବାଡିରେ ମାଳ ମାଳ ହୋଇବୁଲିବେ । ଭୁବନେଶ୍ବର ସ୍ଥିତ ସୁନ୍ଦରପଦା ଆରାଧନା ନଗରର ଗୋଟିଏ ଖାଲି ପ୍ଲଟରୁ 10ରୁ ଅଧିକ ନାଗ ସାପ ଅଣ୍ଡା ଉଦ୍ଧାର ହୋଇଛି । ନିର୍ମାଣଧୀନ ଘର କାମ ପାଇଁ ଆସିଥିବା ମିସ୍ତ୍ରୀ, ଶ୍ରମିକ ଓ ସ୍ଥାନୀୟ ଲୋକେ ଏକ ଅବ୍ୟବହୃତ ସ୍ଥାନରେ ସାପ ଓ ଅଣ୍ଡା ଦେଖିଥିଲେ । ଏନେଇ ଭୟଭୀତ ହୋଇ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପକୁ ଖୋଜାଖୋଜି କରିଥିଲେ । ସାପ ମିଳିନଥିଲା କିନ୍ତୁ ଅଣ୍ଡା ଗୁଡିକୁ ଉଦ୍ଧାର କରିଥିଲେ । ତେବେ ଅଧିକାଂଶ ଅଣ୍ଡା ଗୁଡିକୁ ପିମ୍ପୁଡି ଖାଇଯାଇଥିଲେ । ଏହି ବାବଦରେ ମଞ୍ଚେଶ୍ୱର ରେଞ୍ଜ ଅଫିସର ବିବି ମହାପାତ୍ରଙ୍କୁ ଅବଗତ କରେଇବା ପରେ ଅଣ୍ଡାଗୁଡିକୁ କୃତ୍ରିମ ଉପାୟରେ ଫୁଟାଇବା ପାଇଁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ନିଅଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ