ଭୁବନେଶ୍ବର: ୧୨ ଦିନ ପରେ ବି ଖୋଲିନି ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପଛର ରହସ୍ୟ। ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ମହିଳା କମିଶନର ମିନତି ବେହେରାଙ୍କ ନୀରବତା ଭାଙ୍ଗିଛି।
ଏପଟେ ମହିଳା କମିଶନ ଯାହା କହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ମହିଳା କମିଶନରଙ୍କ ତଦନ୍ତକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ । ଯାହାକୁ ନେଇ ବିଜେପି ସୋମବାର ମହିଳା କମିଶନ ଅଫିସ ଘେରାଉ କରୁଥିବାବେଳେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି।
କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଡିଜିଙ୍କୁ ଚିଠି ଲେଖାଯାଇଥିବା କୁହାଯାଉଛି । ହେଲେ ଏଠି ପ୍ରଶ୍ନ ଉଠିଛି ଯେଉଁ ମହିଳା କମିଶନ କଳାହାଣ୍ଡି ଦୁଷ୍କର୍ମ ମାମଲା ତଦନ୍ତ ବେଳେ ତାଙ୍କ ଓ୍ବେବ ସାଇଟରେ ଲାଇଭ ଭିଜୁଆଲ ଛାଡିଥିଲେ । ସେହି ମହିଳା କମିଶନ ଯାଜପୁର ଯାଇ ତଦନ୍ତ କଲେ କେମିତି କେହି ଜାଣିପାରିଲେନି? ତଦନ୍ତ ବେଳେ ପୀଡିତାଙ୍କ ପରିବାରକୁ ଭେଟିବାକୁ କେମିତି ଭୁଲିଗଲେ? ମହିଳା କମିଶନ କାର୍ଯ୍ୟକୁ ନେଇ ଏବେ ଏଭଳି ପ୍ରଶ୍ନ ଠିଆ ହୋଇଛି । ଯାହା ଏବେ ମହିଳା କମିଶନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ଅନ୍ୟପଟେ ମହିଳା କମିଶନ ଏଭଳି କାର୍ଯ୍ୟକଳାକୁ ନେଇ ବିରୋଧୀ ତାତିଲେଣି । ବିଜେପି ମହିଳା କମିଶନଙ୍କ ରିର୍ପୋଟ ସାର୍ବଜନୀନ କରିବାକୁ ୨୪ ଘଣ୍ଟାର ମହଲତ ଦେଇଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ମହିଳା କମିଶନରକୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଥିଲା । ହେଲେ ଏହି ଦୁଇଟି ଯାକ ଦାବି ଭିତରୁ ଗୋଟିଏ ବି ପୂରଣ ହୋଇନି । ଏଥିପାଇଁ ସୋମବାର ମହିଳା କମିଶନଙ୍କ ଅଫିସ ଘେରାଉ କରିବ ବିଜେପି । ଏପଟେ କଂଗ୍ରେସ ବି ଆନ୍ଦୋଳନ ଧମକ ଦେଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ