ଭୁବନେଶ୍ବର: ଚଳିତ ମାସ ଓଡି଼ଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି । ଏହା ନିଶ୍ଚିତ ରୂପେ ମନୋଜ ଦାସଙ୍କ ପାଠକଙ୍କୁ ଆନନ୍ଦିତ କରିବା କଥା । ମାତ୍ର ମର୍ମାହତ କରିଛି । କାରଣ ପତ୍ରିକାଟିରେ ମନୋଜ ଦାସଙ୍କ ଫଟୋକୁ ବିକୃତ କରି ପ୍ରକାଶିତ କରାଯାଇଛି । ଜଣେ ଯୁଗଜନ୍ମା ସାଧକଙ୍କ ଫଟୋକୁ କମ୍ପ୍ୟୁଟର ଜରିଆରେ ସମ୍ପାଦନା(ଏଡିଟ) କରି ଅଶୋଭନୀୟ କରାଯାଇଛି । ମୂଳ ଫଟୋ ଓ ବିକୃତ କରାଯାଇଥିବା ଫଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଘଟଣାଟି ମନୋଜ ସାହିତ୍ୟ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ସେମାନଙ୍କ ଭାବାବେଗକୁ କୁଠାରଘାତ କରିଛି । ଶତାଧିକ ପାଠକ, ପାଠିକା ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତୁରନ୍ତ ‘ଶିଶୁଲେଖା’ର ଏହି ବିଶେଷାଙ୍କକୁ ବାଜ୍ୟାପ୍ତି, ପୁଣି ସଂଶୋଧିତ ସଂଖ୍ୟା ପ୍ରକାଶ କରିବା ଓ ସମ୍ପାଦକ ସର୍ବସାଧାରଣ ମଞ୍ଚରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି । ପାଠିକା ସାସ୍ବତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ କରି ତୁରନ୍ତ ‘ଶିଶୁଲେଖା’ର ପ୍ରସାରଣ ବନ୍ଦ କରିବାକୁ କହିଛନ୍ତି । ଏହାସହ ଯିଏ ଉତ୍ତରଦାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପାଠିକା ସୁଷମା ତ୍ରିପାଠୀ କ୍ଷୁବ୍ଧ ହୋଇ ଲେଖିଛନ୍ତି ଯେ, ମନୋଜ ଦାସଙ୍କ ଫଟୋକୁ ବିକୃତ କରି ଛପାଯିବା ଦୁର୍ଭାଗ୍ୟର ବିଷୟ । ଏହା କେବଳ ମନୋଜ ଦାସଙ୍କ ପ୍ରତି ଅବଜ୍ଞାକୁ ସୂଚାଉ ନାହିଁ, ଗୋଟିଏ ଜାତି ପ୍ରତି ମଧ୍ୟ ।
ପ୍ରଥମରେ ଶିଶୁମାନଙ୍କ ପାଇଁ କିଛି କରିବା ବେଳେ ସେମାନଙ୍କ ସମ୍ବେଦନଶୀଳତା ପ୍ରତି ଅଧିକ ପ୍ରଯତ୍ନ ରହିବାକୁ ପଡେ । ଏଥିରୁ ଜଣାପଡୁଛି ଯେ ଏହି ପତ୍ରିକାଟି (ଶିଶୁଲେଖା) ସହିତ ଜଡି଼ତ ଥିବା ବ୍ୟକ୍ତିତ୍ବମାନେ କେତେ ସଚେତନ ଶିଶୁ ମନସ୍ତତ୍ତ୍ବ ପ୍ରତି । ପାଠକ ସମୀର ରଞ୍ଜନ ଦାସ, ସୁଦର୍ଶନ ଦାସ, ରବିନାରାୟଣ ସେନାପତି, ତ୍ରୈଲୋକ୍ୟନାଥ ବେହେରାଙ୍କ ସମେତ ଶହ ଶହ ପାଠକ ସେମାନଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରସଙ୍ଗକୁ କିଛି ଦିନ ବିତିଗଲାଣି ହେଲେ, ସମ୍ପାଦକ କିମ୍ବା ସମ୍ପାଦନ ମଣ୍ଡଳୀ ପକ୍ଷରୁ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ପ୍ରସାରଣ ସଂଖ୍ୟାକୁ ଏ ପର୍ଯ୍ୟନ୍ତ ରୋକାଯାଇନି । ଏହା ସମସ୍ତଙ୍କୁ ଅଧିକ ମର୍ମାହତ କରିଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ (ଆଇଟି ଆକ୍ଟ) ଅନୁସାରେ କୌଣସି ବ୍ୟକ୍ତିର ଫଟୋକୁ ବିକୃତ କରିବା ଗର୍ହିତ ଅପରାଧ । ପୁଣି ଗଣମାଧ୍ୟମ ସଂସ୍ଥା ଏପରି କରିବା ଅକ୍ଷମଣୀୟ । ତେଣୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ପାଠକମାନେ ଦାବି କରିଛନ୍ତି ।
ଏନେଇ ସମ୍ପାଦକ ଦାଶ ବେନହୁର କହିଛନ୍ତି ଯେ ପତ୍ରିକାର ବିଷୟବସ୍ତୁ ସମ୍ପାଦନା କରିବା ମୋର ଦାୟିତ୍ବ ଥିଲା । ଲେଖାକୁ ସୁନ୍ଦର ଓ ଜନାଦୃତ କରିବା ଲାଗି ବହୁ ଚେଷ୍ଟା କରିଛି । ଫଟୋ କଥା କଳା ନିର୍ଦ୍ଦେଶକ ଓ ଚିତ୍ରଶିଳ୍ପୀ ବୁଝନ୍ତି । ଏହି ସଂସ୍କରଣରେ ଫଟୋ ଚୟନ ଓ ଫଟୋର ସମ୍ପାଦନା ସମ୍ପୂର୍ଣ୍ଣ ଭାବରେ କଳା ନିର୍ଦ୍ଦେଶକଙ୍କ ହାତରେ ଥିଲା । ଏଥିରେ ମୋର କୌଣସି ଦଖଲ ନଥିଲା । ପତ୍ରିକାଟି ସରକାର ପ୍ରକାଶ କରିଥିବାରୁ ଏନେଇ ବିଭାଗ ନିଷ୍ପତ୍ତି ନେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ