ଭୁବନେଶ୍ୱର: ଅନୁଗୁଳ ଛେଣ୍ଡିପଦା ନଇନି କୋଲ ବ୍ଲକକୁ (Naini Coal Block) ନେଇ ସିଙ୍ଗାରେନି କଲିୟରିଜ୍ କମ୍ପାନୀ ଲିମିଟେଡ(Singareni Collieries Company Limited) ପାଇଁ ବଢିପାରେ ଅଡୁଆ । କୋଇଲା ଖଣି ଖନନ ଯୋଗୁଁ ସଂରକ୍ଷିତ ବନାଞ୍ଚଳରେ ହାତୀ ଯାତାୟତ ନେଇ କ'ଣ ପ୍ରଭାବ ପଡ଼ିବ ସେନେଇ ଅନୁଧ୍ୟାନ କରି ରାଜ୍ୟ ଜଙ୍ଗଲ ବିଭାଗ ଅଧିକାରୀ ପ୍ରସ୍ତାବ ରଖିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଏକ ପତ୍ର ଲେଖାଯାଇଛି । ଏ ସଂକ୍ରାନ୍ତରେ ବିଳମ୍ବ ପ୍ରକଳ୍ପର ଚୂଡ଼ାନ୍ତ ଜଙ୍ଗଲ ମଞ୍ଜୁରୀ ଓ ରାଜ୍ୟରେ କୋଇଲା ଉତ୍ପାଦନକୁ ପ୍ରଭାବିତ କରିପାରେ ବୋଲି ଚିଠିରେ ଦର୍ଶାଯାଇଛି ।
ଚିଠିରେ ଅନୁଗୁଳ ଜିଲ୍ଲାରେ କୋଇଲା ଖଣି ଖନନ ପ୍ରଭାବ ହାତୀଙ୍କ ଯାତାୟତ ଉପରେ କ'ଣ ପ୍ରଭାବ ପକାଉଛି ସେନେଇ ଡେରାଡୁନ ସ୍ଥିତ ବନ ଅନୁଧ୍ୟାନ ପ୍ରତିଷ୍ଠାନ ପରିବର୍ତ୍ତେ ରାଜ୍ୟ ଜଙ୍ଗଲ ବିଭାଗ ଅଧିକାରୀ ନିଜେ ଅନୁଧ୍ୟାନ କରନ୍ତୁ ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଇଛନ୍ତି । ଏପ୍ରିଲ 20 ତାରିଖରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଏନେଇ ପତ୍ର ଲେଖିଛନ୍ତି କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ ନାଗରାଜୁ । କେନ୍ଦ୍ର ଖଣି ମନ୍ତ୍ରାଳୟରୁ ଆସିଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଅନୁଗୁଳ ଜିଲ୍ଲାରେ ହାତୀ ଅଭୟାରଣ୍ୟ ଓ କରିଡ଼ର କୋଇଲା ଖଣି ନିକଟରେ ରହୁଛି । ବନ୍ୟଜନ୍ତୁ ପରିଚାଳନା ଓ କ୍ଷତିକରଣ ଯୋଜନାର ପ୍ରଭାବ ଆକଳନ ପ୍ରକ୍ରିୟାରେ ଡେରାଡୁନ ସ୍ଥିତ Indian Council of Forestry Research and Educationକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ତାହା ସମୟ ସାପେକ୍ଷ ରହିବ ବୋଲି ପତ୍ରରେ ଉଲ୍ଲେଖ ରହିଛି । ତେଣୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଏହାର ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦିଆଯାଇଛି ।
ପତ୍ରରେ ଉଲ୍ଲେଖ ରହିଛି ଯେ, ବନ୍ୟଜନ୍ତୁ ବିଶେଷକରି ହାତୀଙ୍କ ଉପରେ କୋଇଲା ଖଣି ଖନନ ପ୍ରଭାବ ସ୍ଥିତି ଆକଳନରେ ବିଳମ୍ବ କୋଇଲା ଖଣିକୁ ପରିବେଶ ଏବଂ ଜଙ୍ଗଲ ମଞ୍ଜୁର ପ୍ରଦାନ ଉପରେ ପ୍ରଭାବ ପକାଇବ | ଏହାସହ ତାଳଚେର କୋଇଲା ବ୍ଲକ ଏବଂ ଓଡିଶାର ଅନ୍ୟାନ୍ୟ କୋଇଲା ବ୍ଲକଗୁଡ଼ିକର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ ନାଗାରାଜୁ ଚିଠିରେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି କି ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ବିଚାରକୁ ନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇ ସେମାନଙ୍କ ମତାମତ ଖୁବ ଶୀଘ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଜଣାନ୍ତୁ ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଥିବା ନଇନି ଓପନକାଷ୍ଟ ମାଇନ ଖନନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ପକ୍ଷରୁ ଚିଠିଆସିଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସମସ୍ତ ମଞ୍ଜୁର ପରେ ତେଲେଙ୍ଗାନାର ରାଷ୍ଟ୍ରାୟତ୍ତ ସଂସ୍ଥା ସିଙ୍ଗାରେନି କଲିୟରିଜ୍ କମ୍ପାନୀ ଲିମିଟେଡ୍(SCCL) ଦ୍ୱାରା ଏହି ଖଣି ଖନନ ପାଇଁ ଧାର୍ଯ୍ୟ ହୋଇଥିଲା । 912.799 ହେକ୍ଟର ଅଞ୍ଚଳରେ ବ୍ୟାପିଥିବା ନଇନି ଓପନକାଷ୍ଟ କୋଇଲା ଖଣି SCCLକୁ ଆବଣ୍ଟିତ ହୋଇଥିଲା । ତେଲେଙ୍ଗାନାର ମଞ୍ଚେରିଆଲ୍ ଜିଲ୍ଲା ଅନ୍ତର୍ଗତ ପେଗାଡାପାଲିରେ ଏହାର 1200 ମେଗାୱାଟ ବିଶିଷ୍ଟ 2 ପର୍ଯ୍ୟାୟରେ ତାପଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏହି କୋଇଲା ଖଣି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । SCCL ଦକ୍ଷିଣ ଭାରତରେ ଏହା ଏକମାତ୍ର କୋଇଲା ଉତ୍ପାଦନକାରୀ କମ୍ପାନୀ ଯାହାକୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବିଦ୍ୟୁତ୍ ସଂସ୍ଥାକୁ କୋଇଲା ଯୋଗାଇଥାଏ |
ନଇନି କୋଇଲା ବ୍ଲକରେ ଆନୁମାନିକ 340 ନିୟୁତ ଟନ୍ ଉଚ୍ଚ ଗ୍ରେଡ୍ କୋଇଲା ସଂରକ୍ଷିତ ରହିଛି । ଯାହାକି ସିଙ୍ଗାରେନି କଲିୟରିଜ୍ କମ୍ପାନୀ ଲିମିଟେଡ୍ ଆବଶ୍ୟକତା ପୂରଣ କରିପାରିବ। ତେବେ ବନ୍ୟଜନ୍ତୁ ବିଶେଷଜ୍ଞମାନେ ଏହି ଖଣି ଖନନ ପ୍ରକ୍ରିୟା ଦ୍ବାରା ଅନୁଗୁଳ-ଢେଙ୍କାନାଳ ଇଣ୍ଡଷ୍ଟ୍ରିଆଲ୍ ବେଲ୍ଟ ମାନବ-ହାତୀ ବିବାଦର ବଢାଇବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ଅନୁଗୁଳ-ଢେଙ୍କାନାଳ ଶିଳ୍ପାଞ୍ଚଳରେ “ବହୁ ସଂଖ୍ୟକ କୋଇଲା ଖଣି ଏବଂ ବିଦ୍ୟୁତ୍ ଉତ୍ପାଦନ ହେତୁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ମାତ୍ର ବଢିଛି । ଏହାସହ ହାତୀ ଉପଦ୍ରବ ବଢିଛି । କିଛି ଦଶନ୍ଧି ପୂର୍ବରୁ ଏହି ଅଞ୍ଚଳ ହାତୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଭାବରେ ଜଣାଶୁଣା ଥିଲା । କିନ୍ତୁ କୋଇଲା ଖନନ ଏବଂ ଶିଳ୍ପାୟନ ଯୋଗୁଁ ଜଙ୍ଗଲ ଧ୍ବଂସ ହେବା ସହ ହାତୀ କରିଡର ଭାଙ୍ଗିଛି । ଏହା ଅନେକ ସମୟରେ ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷକୁ ବଢାଇଛି । ନଇନି ପ୍ରକଳ୍ପର ସୀମା ସାତକୋଶିଆ ଟାଇଗର ରିଜର୍ଭ ସୀମାଠାରୁ ପ୍ରାୟ 30 କିଲୋମିଟର ଦୂରରେ ଥିବାବେଳେ ପ୍ରସ୍ତାବିତ ଶିମିଳିପାଳ-ସାତକୋଶିଆ ଟାଇଗର କରିଡର ପ୍ରସ୍ତାବିତ ପ୍ରକଳ୍ପର ଉତ୍ତର ପାର୍ଶ୍ବରେ ପ୍ରାୟ 8 କିଲୋମିଟର ଦୂରରେ ଅବସ୍ଥିତ ।
ଅଗଷ୍ଟ 2015ରେ କେନ୍ଦ୍ରୀୟ PSU ସିଙ୍ଗାରେନି କଲିୟରିଜ୍ କମ୍ପାନୀ ଲିମିଟେଡକୁ ଆବଣ୍ଟିତ ନଇନି କୋଇଲା ବ୍ଲକ ଅକ୍ଟୋବର 2021ରେ ଏହାର ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଏବଂ ଜୁଲାଇ 2021ରେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପାଇଥିଲା । ଖଣିର ପ୍ରସ୍ତାବିତ 912.799 ହେକ୍ଟର ଅଞ୍ଚଳର ମଧ୍ୟରେ 783.275 ହେକ୍ଟର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରହିଛି । ପ୍ରକଳ୍ପର ଅନ୍ତିମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପାଇଲେ, ପରିବେଶବିତଙ୍କ ଆକଳନ ଅନୁଯାୟୀ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଅତିକମରେ 1.06 ଲକ୍ଷ ଶାଳ, ଆକାଶିଆ, ନିମ୍, ମହଲ, ବାହାଡା, ଭେରୁ, ସୁନାରି, ଶାଗୁଆନ, ସିରିସା, ଗୋହିରା ଏବଂ ଘରୁଦୁ ଗଛ କାଟିବାକୁ ପଡ଼ିବ ।
କୋଇଲା ପ୍ରକଳ୍ପ ପାଇଁ ବହୁ ସଂଖ୍ୟକ ବୃକ୍ଷ କାଟିବା ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିବାରୁ ରାଜ୍ୟ ବନ୍ୟଜନ୍ତୁ ବିଭାଗର ଅଧିକାରୀ ତଥା ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ ଗତ 2 ବର୍ଷ ମଧ୍ୟରେ ବନ୍ୟଜନ୍ତୁ ପରିଚାଳନା ଯୋଜନା ଉପରେ ଅଧିକ ଅଧ୍ୟୟନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିରେ 50 କିଲୋମିଟର ଦୂରରେ ଥିବା ମହାନଦୀ ହାତୀ ରିଜର୍ଭ ଏବଂ 29 କିଲୋମିଟର ଦୂରରେ ଥିବା କାହନେଇ-ଅନନ୍ତପୁର ହାତୀ କରିଡର ମଧ୍ୟରେ ଥିବା ଅଞ୍ଚଳ ଅଧ୍ୟୟନ ପାଇଁ ପ୍ରସ୍ତାବ ରହିଥିଲା ।
ନଇନି କୋଇଲା ଖନନ ପ୍ରକ୍ରିୟା ପାଇଁ ଚୂଡ଼ାନ୍ତ ଜଙ୍ଗଲ ମଞ୍ଜୁରୀ ପୂର୍ବରୁ ପରିବେଶ-ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀଙ୍କ ଏନେଇ ଏକ ରିପୋର୍ଟ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନ୍ତର୍ଗତ ଜଙ୍ଗଲ ପରାମର୍ଶଦାତା କମିଟିକୁ ରିପୋର୍ଟ ଦେବେ । ରିପୋର୍ଟରେ ମନୁଷ୍ୟ-ପଶୁ ବିବାଦକୁ ଏଡାଇବା ଏବଂ ହାତୀମାନଙ୍କୁ ନିରାପଦ ଯାତାୟାତ ପାଇଁ ସବିଶେଷ ଯୋଜନା ପରାମର୍ଶ ରହିବା ଜରୁରୀ । ଏହି ପ୍ରସ୍ତାବ ଅନୁଯାୟୀ ଜଙ୍ଗଲ ପରାମର୍ଶ ପରାମର୍ଶଦାତା କମିଟି ପ୍ରକଳ୍ପକୁ ଚୂଡ଼ାନ୍ତ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରିବ । ତେବେ ଏହା ପୂର୍ବରୁ ଜଙ୍ଗଳ ପରାମର୍ଶଦାତା କମିଟି ଏ ସମସ୍ତ ବିଷୟରେ ଓଡିଶାର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମତାମତ ଲୋଡିଛନ୍ତି ।
ନାଗାରାଜୁଙ୍କ ଚିଠି ଅନୁଯାୟୀ ଉଭୟ ଓଡ଼ିଶା ଓ ଦେଶର ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିରେ କୋଇଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭାରତର 24% କୋଇଲା ଭଣ୍ଡାର ଓଡିଶା ସଂରକ୍ଷିତ ରହିଥିବାରୁ ଏହା ରାଜ୍ୟ ଅର୍ଥନୀତିର ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ । ଏଭଳି କ୍ଷେତ୍ରରେ ନଇନି କୋଇଲା ଖଣିରୁ ଉତ୍ତୋଳନ ଓ ହାତୀଙ୍କ ସୁରକ୍ଷା ନେଇ ଏକ ଦୀର୍ଘ ଅଧ୍ୟୟନ ତାଳଚର କୋଇଲା ବ୍ଲକ ସହ ଓଡିଶାର ଅନ୍ୟ କୋଇଳା ଖଣିରୁ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ନାଗାରାଜୁ ଚିଠିରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ