ଭୁବନେଶ୍ବର: ସରିଛି ବିଧାନସଭାର ମୌସୁମୀ ଅଧିବେଶନ (Monsoon Session of Odisha Assembly) । ଲମ୍ବା ସମୟ ଧରି ଚାଲିଥିବା ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହୋଇଛି । ଏହି ଅଧିବେଶନରେ ଅନେକ ରୋଚକ ଘଟଣା ଘଟିଥିବାବେଳେ କିଛି ଚିରାଚରିତ ବି ଘଟଣା ଘଟିଛି ।
ଦୁଇ ପର୍ଯ୍ୟାୟରେ ବସିଥିବା ବଜେଟ ଅଧିବେଶନରେ ମୋଟ 21 ଟି କାର୍ଯ୍ୟ ଦିବସ ଥିବାବେଳେ ଏଥିରେ ଦୁଇଟି ସରକାରୀ କାର୍ଯ୍ୟ ଦିବସ ଅର୍ନ୍ତଭୁକ୍ତ ରହିଥିଲା । ଅଧିବେଶନ କାଳରେ ମୋଟ 2156 ଟି ତାରକା ଚିହ୍ନଟ ପ୍ରଶ୍ନ ଓ 2797 ଟି ଅଣତାରକା ଚିହ୍ନଟ ପ୍ରଶ୍ନ ଆସିଥିଲା । ତେବେ ପ୍ରଶ୍ନକାଳରେ 58ଟି ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଦେଇଛନ୍ତି । ମୋଟ 3784ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପନ ହୋଇଛି । ଏହି ସମୟ ମଧ୍ୟରେ ଗୃହରେ 11ଟି ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଛି । 43ଟି କାଗଜ ଉପସ୍ଥାପନ, 14ଟି ବାର୍ଷିକ ରିପୋର୍ଟ, 43ଟି କମିଟି ରିପୋର୍ଟ, 37ଟି ନିବେଦନ, 7ଟି ବିବୃତ୍ତି, 8ଟି ସରକାରୀ ବିଧେୟକ ପ୍ରସ୍ଥାପନ ହୋଇଥିବାବେଳେ ସେଥିରୁ 7ଟି ପାରିତ ହୋଇଛି ।
ସେହିଭଳି 21ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ପାରିତ ହୋଇଥିବାବେଳେ ଅନ୍ୟ ବିଭାଗର ଖର୍ଚ୍ଚଦାବି ଗିଲୋଟିନ ମାଧ୍ୟମରେ ପାରିତ ହୋଇଛି । ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିବା 2ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ ଗୃହର ଅନୁମୋଦନ ଲାଭ କରିଛି । ଏହି ଅଧିବେଶନ କାଳରେ ଦୁଇ ଥର ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଜାତୀୟ କଂଗ୍ରେସ ମୁଖପାତ୍ର ଓ କଂଗ୍ରେସ ସାଂସଦଙ୍କ ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟଗୋଳ କରିବାରୁ ଗୃହକାର୍ଯ୍ୟ ବାରମ୍ବାର ମୁଲତବି ହୋଇଛି । ଏହାବାଦ ବିରୋଧିଦଳ ପକ୍ଷରୁ ଘରୋଇ କମ୍ପାନୀର ସରକାରୀ ସମ୍ପତ୍ତି ଜବତ ଏବଂ ଚିଟଫଣ୍ଡ ତଦନ୍ତ ସଂକ୍ରାନ୍ତରେ ଦିଆଯାଇଥିବା ମୁଲତବୀ ନୋଟିସକୁ ଗ୍ରହଣ କରାନଯିବାରୁ ଏହାକୁ ନେଇ ମଧ୍ୟ ଗୃହରେ ବିରୋଧି ସଦସ୍ୟମାନେ ହଟଗୋଳ କରିଛନ୍ତି । ଅଧିବେଶନ କାଳରେ କୋଟିଆ, କାଶୀପୁର ଝାଡାବାନ୍ତି, ମାଲକାନଗିରିରେ ମହିଳାଙ୍କ ଉପରେ ପୋଲିସର ଆକ୍ରମଣ ପ୍ରସଙ୍ଗରେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀମାନେ ବିବୃତ୍ତି ଦେଇଛନ୍ତି ।
ସେହିପରି ରତ୍ନଭଣ୍ଡାର ଚାବି ଖୋଲିବା, ବେକାରୀ ସମସ୍ୟା, ବିଧାୟକମାନଙ୍କ ଦରମା ବୃଦ୍ଧି, ଠିକା ନିଯୁକ୍ତି, ଖାଦ୍ୟ ସୁରକ୍ଷା ଆଇନରେ ଅପେକ୍ଷାରତ ହିତାଧିକାରୀଙ୍କୁ ସାମିଲ, ଚାଷୀଙ୍କୁ ଫସଲବୀମା ଅର୍ଥ ପ୍ରଦାନ, ଉତ୍ପାଦିତ ପନିପରିବାର ବଜାର ବ୍ୟବସ୍ଥା ଆଦି ପ୍ରସଙ୍ଗରେ ମଧ୍ୟ ଗୃହରେ ଉଦବେଗ ପ୍ରକାଶ ପାଇଛି । ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ବଜେଟ ଅଧିବେଶନ ବସିଥିବାରୁ ଚଳିତ ଥର ଗୃହରେ ନୂଆ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଉତ୍ତର ରଖିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ରହିଥିଲେ । ଏହାସହ ନବ ନିର୍ବାଚିତ ବ୍ରଜରାଜନଗର ବିଧାୟିକା ଶପଥ ନେଇଥିଲେ ।
ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ସୁରୁଖୁରୁରେ ଚଳାଉଥିବାବେଳେ ଆବଶ୍ୟକ ସ୍ଥଳେ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଅଧିଷ୍ଠାତା ମଣ୍ଡଳୀ ସଦସ୍ୟମାନେ ତାଙ୍କୁ ସହଯୋଗ କରୁଥିଲେ । ଏତତ ବ୍ୟତୀତ ବିଧାନସଭାର ଶେଷ ଦିନରେ ନୂଆ ବିରୋଧୀ ଦଳ ନେତା ଦାଇତ୍ୱ ନେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର