ଭୁବନେଶ୍ବର: ଜୁଲାଇ ୨ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଅଧିବେଶନରେ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପିତ ହେବ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ କିଏ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ଅଛନ୍ତି । ସେପଟେ କଂଗ୍ରେସର ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଉପନେତା ପଦରୁ ମଧ୍ୟ ତାରା ପ୍ରସାଦ ବାହୀନିପତି ଇସ୍ତଫା ଦେଇଛନ୍ତି ।
ନରସିଂହଙ୍କ ଇସ୍ତଫାରେ ଯଦି ସତ୍ୟତା ଥାଏ ତେବେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ନାନା ଆଲୋଚନା ହେଉଛି । ନରସିଂହ ଆଗକୁ ଦାୟିତ୍ୱରେ ରହିବେ ନା ଆଉ ନୂଆ ନେତା କଂଗ୍ରେସ ବାଛିବ ? ସେପଟେ ନରସିଂହ ହିଁ କଂଗ୍ରେସ ବିଧାୟକ ଦଳ ନେତା ରହିବାକୁ ଦଳର ତୁଙ୍ଗ ନେତାଏ ଅପିଲ୍ କରିଛନ୍ତି । ଏହାକୁ ନେଇ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି ।
ସୁର ରାଉତରାୟ କହିଛନ୍ତି ଯେ, "ନରସିଂହ ଜଣେ ଅନୁଭବୀ ଏବଂ ଶିକ୍ଷିତ ନେତା । ସେ ଯୋଗ୍ୟ ଅଟନ୍ତି, ତେଣୁ ଆମେ ତାଙ୍କୁ ବିରୋଧୀ ଦଳ ନେତା ପଦରେ ରହିବା ପାଇଁ ଅନୁରୋଧ କରିବୁ ।
ସେପଟେ ଏଭଳି ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଯେ, "କଂଗ୍ରେସ ସବୁବେଳେ ରାଜ୍ୟରେ ବିରୋଧୀ ଦଳ ଦାୟିତ୍ବ ତୁଲାଇ ଆସିଛି । କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ସରକାରଙ୍କୁ ସବୁବେଳେ ବିରୋଧ କରିଛନ୍ତି । କଂଗ୍ରେସ ଦଳ ଭିତରେ କଣ ଅସୁବିଧା ରହିଛି, କିଏ ଇସ୍ତଫା ଦେଲା ନଦେଲା ତାହା ଆଭ୍ୟନ୍ତରୀଣ ବ୍ୟାପାର । ବିଧାୟକ ଦଳ ନେତା ଅଛନ୍ତି । ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିବ ।"