ଭୁବନେଶ୍ବର: ଜାମ୍ମୁ କାଶ୍ମୀର ରାଜ୍ୟ ପୁନର୍ଗଠନ ଓ ଧାରା ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ନ୍ୟାୟସଙ୍ଗତ ବୋଲି ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଡ. କୁଲଦୀପ ଚାନ୍ଦ ଅଗ୍ନିହୋତ୍ରୀ କହିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ କାର୍ଯ୍ୟାଳୟରେ ଏବିଭିପିର ମୁଖପତ୍ର ଛାତ୍ର ସନ୍ଦେଶ ୱେବସାଇଟର ଲୋକାର୍ପଣ ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।
‘ସନ୍ଦେଶ’ ୱେବସାଇଟର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ଲୋକମାନେ ଜାଣି ରଖିବା ଉଚିତ ଯେ, ରାଷ୍ଟ୍ରପତିଙ୍କ ଆଦେଶ ବଳରେ ସମ୍ବିଧାନର ଯେକୌଣସି ଧାରା ଜାମ୍ମୁ କାଶ୍ମୀରରେ ଲାଗୁ କରାଯାଇପାରିବ। ଧାରା ୩୭୦ରେ ହିଁ ଏହା ଉଲ୍ଲେଖ ରହିଛି । ଯାହାକୁ ବ୍ୟବହାର କରି ସମ୍ବିଧାନର ସବୁ ଧାରା ଜାମ୍ମୁ କାଶ୍ମୀରରେ ଲାଗୁ କରାଯାଇଛି । ଏହାପରେ ସମ୍ବିଧାନ ଅନୁସାରେ ରାଜ୍ୟ ପୁନର୍ଗଠନ କରି ଲଦାଖ ଓ ଜାମ୍ମୁ କାଶ୍ମୀରକୁ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଗଲା । ଯାହା ସମ୍ପୂର୍ଣ୍ଣ ସାମ୍ବିଧାନିକ । ଏହାକୁ ନେଇ ଜାମ୍ମୁ ଓ ଲଦାଖର ଲୋକ ଏଥିରେ ଖୁସି ଅଛନ୍ତି । ମାତ୍ର କାଶ୍ମୀରରେ କିଛି ପ୍ରତିଶତ କଠୋରପନ୍ଥୀ ସମ୍ପୂର୍ଣ୍ଣ ସମାଜ ଓ ସରକାର ଉପରେ ଆଧିପତ୍ୟ ରଖିଛନ୍ତି । ସେହି କିଛି ଲୋକଙ୍କ ସ୍ବାର୍ଥପାଇଁ ଦେଶର ସ୍ବାର୍ଥକୁ କ୍ଷୁର୍ଣ୍ଣ କରୁଥିବା ଏହି ଧାରାକୁ ବଜାୟ ରଖିବା କେତେଦୂର ଉଚିତ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ ।
ଥିଙ୍କ୍ ଇଣ୍ଡିଆ ଓ ଏବିଭିପିର ମାସିକ ପାଠଚକ୍ର ଇଗ୍ନାଇଟେଡ ମାଇଣ୍ଡସ୍ ଭୁବନେଶ୍ବର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଏହି ଅବସରରେ ୱେବସାଇଟଟିକୁ ବିକାଶ କରିଥିବା ନେପୋଲିଅନ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ, ଡାକ୍ତର ଅଗ୍ନିହୋତ୍ରୀ ଜାମ୍ମୁ କାଶ୍ମୀରର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଉପରେ ଏକାଧିକ ବହି ଲେଖିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ