ଭୁବନେଶ୍ବର :ଗୃହରେ ପାରିତ ହେଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି । 9 ହଜାର 161 କୋଟି 53 ଲକ୍ଷ 54 ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି । ତେବେ ଏହି ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ କଟାକ୍ଷ କରିଥିବା ଦେଖାଯାଇଛି । ଜୟ ନାରାୟଣ କହିଛନ୍ତି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଆସିୟୁରେ ଅଛି । ବିଭାଗର ସ୍ବାସ୍ଥ୍ୟ ଭଲ ନାହିଁ । କୋଭିଡ ଦୁର୍ନୀତି ହେଉଛି ଶତାଦ୍ଦୀର ସର୍ବଶ୍ରେଷ୍ଠ ଦୁର୍ନୀତି । ସମଗ୍ର ରାଜ୍ୟରେ 70 ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । କମ୍ପାଉଣ୍ଡର ଡାକ୍ତର ସାଜି ମେଡ଼ିକାଲରେ ରୋଗୀ ଦେଖୁଛନ୍ତି । ଗ୍ରାମାଞ୍ଚଳର ଅବସ୍ଥା ନ କହିଲେ ଭଲ । ବୁର୍ଲା ମେଡ଼ିକାଲ ସାଜିଛି ବୁଡ଼ିଲା ମେଡ଼ିକାଲ ସେଠି କି ଯିଏ ଯିବ ସେ ବୁଡିଯିବ ବୋଲି କହି ଏପରି ଢଙ୍ଗରେ ସମାଲୋଚନା କରିଛନ୍ତି ଜୟ ନାରାୟଣ ।
କୋଭିଡ ରୋଗୀଙ୍କ ଖାଇବା,ରହିବା ଓ ପାଇଖାନା ବ୍ୟବସ୍ଥା ନାହିଁ। ଏହା ହିଁ ହେଉଛି ରାଜ୍ୟ ସରକାରଙ୍କ କୋଭିଡ ସଫଳତାର ଉଦାହରଣ । ଆଣ୍ଟିଜେନ ଟେଷ୍ଟର ଦର 400 ଟଙ୍କା ଫିକ୍ସ କରିଥିବାବେଳେ ବାହାରେ 1200 ଟଙ୍କା ନେଉଛନ୍ତି । ଆରଟିପିସିଆର ଟେଷ୍ଟ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି । ବିଭିନ୍ନ ମେଡ଼ିକାଲ କଲେଜର ଫି ଷ୍ଟକଚର ଅନ୍ୟ ରାଜ୍ୟ ମାନଙ୍କଠୁ ବେସ ଅଧିକ ରହିଛି । ବିଭିନ୍ନ ମେଡ଼ିକାଲ କଲେଜ ନିର୍ମାଣ ନେଇ କାହିଁକି କମନ ଟେଣ୍ଡର କରାଯାଉଛି ସେ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ।
ତେବେ ବିରୋଧୀଙ୍କ ଏପରି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ନବ ଦାସ। ମନ୍ତ୍ରୀ କହିଛନ୍ତି କୋଭିଡ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି । ନୀତି ଆୟୋଗ ଠାରୁ ନେଇ WHO ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିଛନ୍ତି । ଦେଶରେ ଆମେ ପ୍ରଥମ ରାଜ୍ୟ ଭାବେ ଲକ ଡାଉନ ଲାଗୁ କରିଥିଲୁ । 7 ଦିନ ଭିତରେ ଆମେ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିଥଲୁ । କଳିଙ୍ଗ କୋଭିଡ ହସ୍ପିଟାଲ ଓ ସମ କୋଭିଡ ମଡ଼େଲ ହସ୍ପିଟାଲ କରିଥିଲୁ ଯାହାକୁ WHO ପ୍ରଶଂସା କରିଛନ୍ତି । ରାଜ୍ୟରେ ଆରୋଗ୍ୟ ହାର 99.21 ଥିବା ବେଳେ ଦେଶରେ 95.74 ଅଛି । ସେହିପରି ମୃତ୍ୟୁ ହାର ରାଜ୍ୟରେ 0.57 ଏବଂ ଦେଶରେ 1.37 ପ୍ରତିଶତ ରହିଛି । ସମ୍ବଲପୁରରେ ଖୁବ ଶୀଘ୍ର ଡାଏଲେସିସି ସେଣ୍ଟର ଖୋଲାଯିବା ନେି ନିଷ୍ପତ୍ତି ହୋଇ ସାରିଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ । ତେବେ ମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ପରେ ବିରୋଧୀ ଗୃହ ତ୍ୟାଗ କରିଥିବା ଦେଖାଯାଇଥିଲା । ତେବେ ଆସନ୍ତା କାଲି ସକାଳ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଭୁବନେଶ୍ବରରୁ ତପନ କୁମାର ଦାସ ,ଇଟିଭି ଭାରତ