ଭୁବନେଶ୍ବର: କୋରୋନା ପ୍ରଭାବିତ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସ୍ବତ୍ତ୍ବେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି । ଆଜି (ଶୁକ୍ରବାର) ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ରାଜ୍ୟର ଧାତବ ଶିଳ୍ପ କ୍ଷେତ୍ରରେ ୪ ପ୍ରକଳ୍ପରେ ନୂତନ ପୁଞ୍ଜିନିବେଶକୁ ନିତୀଗତ ଅନୁମୋଦନ ଦିଆଯାଇଛି ।
ଓସ୍ବାସ୍ ପ୍ଲାଟଫର୍ମ ମାଧ୍ୟମରେ ଡ଼ିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବରୋପ କରିଥିଲେ ।
ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଶିଳ୍ପ ଏବଂ କମ୍ପାନୀମାନଙ୍କ ଦ୍ବାରା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ସମସ୍ତ ନିୟମର ଅନୁପାଳନ ନିଶ୍ଚିତ କରାଇବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ଶୁକ୍ରବାର ଅନୁମୋଦିତ ୪ ଟି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୨୧୭୨.୯୨ କୋଟି ଟଙ୍କା ବିନିଯୋଗ ହେବା ଏହାସହ ୧,୧୨୨ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ