ଭୁବନେଶ୍ବର: ପୂଜା ପାଇଁ ସହାୟିକାଙ୍କୁ ବକ୍ସିସ ଦେଲେନି ବାବୁ । ବଦଳରେ ବାବୁଙ୍କ ଘରେ କଳାକନା ବୁଲାଇଦେଲେ ଘରେ କାମ କରୁଥିବା ଶାଶୁ ଓ ବୋହୁ । ନେଇଗଲେ ବାବୁଆଣିଙ୍କ ହାତର ସୁନା ଚୁଡି ସମେତ ମୁଦି ଓ ବାବୁଙ୍କ ବ୍ରେସଲେଟ ସହ ୨ଲକ୍ଷ ଟଙ୍କାର ନଗଦ ଟଙ୍କା ।
ସାଲିଆସାହିରେ ରହି ନୟାପଲ୍ଲୀରେ ସହାୟିକା ଭାବେ କାମ କରନ୍ତି ଶାଶୁ-ବୋହୁ ତେବେ ଏମିତି ଢଙ୍ଗରେ ଚୋରି କରିଥିବା ସ୍ମାର୍ଟ ସିଟିର ଶାଶୁ ବୋହୁକୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ୍ । ସେମାନେ ହେଲେ ଚିନୁ ଦାସ ଓ ମନିକାଦାସ । ସୁଚନାମୁତାବକ, ନୟାପଲ୍ଲୀର ପ୍ଲଟ ନମ୍ବର N2-153 ରେ ରହୁଛନ୍ତି ସତପାଲ୍ ଗୁଗନାନି । ଗତ ମାସରେ ନିଜ ପତ୍ନୀଙ୍କ ଦେହ ଖରାପ ହେବାରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପରେ ୮ ନଭେମ୍ବରରେ ଘରକୁ ଫେରିବା ପରେ ଦେଖିବାକୁ ପାଇଲେ ଘରର ସୁନା ଓ ଗହଣା ସହ ଟଙ୍କା ଚୋରି ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ରିପୋର୍ଟ ଦେଇଥିଲେ ।
ପରେ ପୋଲିସ ତଦନ୍ତ ବେଳେ ଘରେ କାମ କରୁଥିବା ସହାୟିକା ଉପରେ ସନ୍ଦେହ ହୋଇଥିଲା କାରଣ ଘରେ ପଶି ଏପରି ଚୋରି ଘଟଣା ନେଇ ପଚରାଉଚରା ବେଳେ ସହାୟିକା ଚିନୁ ଦାସ ମାନିଯାଇଥିଲା । ପୂଜା ପାଇଁ ବକ୍ସିସ ନ ଦେବାରୁ ବାବୁଙ୍କ ଘରେ କଳାକନା ବୁଲାଇବାକୁ ଯୋଜନା କରିଥିଲେ ସହାୟିକା । ଘରେ କେହି ନଥିବା ବେଳେ ନିଜ ଶାଶୁ ମନିକା ଦାସ ଓ ସ୍ବାମୀ କାହ୍ନା ଦାସ ସହ ମିଶି ଭିଆଇଥିଲେ ଏପରି କାଣ୍ଡ । ତେବେ ଶାଶୁ ବୋହୁ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ନଗଦ ୯୬ ହଜାର ଟଙ୍କା ଜବତ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ