ଭୁବନେଶ୍ବର: ପୂର୍ବରୁ ମା' ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଲଗାଯାଇଥିବା ବେଳେ ଏବେ ମୂର୍ତ୍ତି ତିଆରିରେ ବ୍ୟବହାର ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ମୂର୍ତ୍ତି ତିଆରି ସମୟରେ କାଚ ଗୁଣ୍ଡ, ଥର୍ମକୁଲ ପ୍ଲାଷ୍ଟିକ, ରାସାୟନିକ ରଙ୍ଗ ଭଳି ବିପଦପୂର୍ଣ୍ଣ ସାମଗ୍ରୀ ମିଶ୍ରଣକୁ ବାରଣ କରାଯାଇଛି । ଏନେଇ ଜଙ୍ଗଲ ପରିବେଶ ଓ ପାଣିପାଗ ପରିବର୍ତ୍ତନ ବିଭାଗ ତରଫରୁ ନିୟମାବଳୀ ଜାରି କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହାସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିୟମାବଳୀର ତଦାରଖ କରାଯିବ । ଯଦି କେଉଁ ମଣ୍ଡପରେ ଏହି ନିୟମର ଉଲ୍ଲଙ୍ଘନ ହୁଏ ତେବେ ଜରିମାନା ଆଦାୟ ସହ ୨ ବର୍ଷ ପାଇଁ ସମ୍ପୃକ୍ତ ମଣ୍ଡପର ପୂଜା ବାତିଲ କରାଯିବ ବୋଲି ଏକ ନୋଟିସ ଜାରି କରାଯାଇଛି ।
ତେବେ ପରିବେଶର ସୁରକ୍ଷାକୁ ନଜରରେ ରଖି ପୂଜା ମଣ୍ଡପ ଗୁଡିକ ଏହାକୁ ସ୍ୱାଗତ କରିଛନ୍ତି । ହେଲେ ଶେଷ ସମୟରେ ନୋଟିସର କିଛି ମାନେ ନଥିବା ଆଉ ଆମେ ଏବେ କଣ କରିବୁ ବୋଲି କହିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ସୋମବାରରୁ ମଣ୍ଡପରେ ପୂଜାହେବାକୁ ଥିବା ବେଳେ ଅନେକ ମଣ୍ଡପରେ ମୂର୍ତ୍ତିଗଢା ଓ ରଙ୍ଗ ଦେବା ଅଧିକାଂଶ ସ୍ଥାନରେ ସରିଯାଇଛି । ତେଣୁ ପ୍ରଦୂଷଣ ବିଭାଗ ଏଭଳି ନିୟମ କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ସହଯୋଗ ରହିଲେ କୋରୋନା ପରି ଏହି ନିୟମକୁ ବି ଆମେ ମାନିବୁ ବୋଲି କହିଛନ୍ତି ପୂଜା କମିଟି। ଅନ୍ୟପଟେ ଏହି ନିୟମାବଳୀ ପରିବେଶ ପ୍ରଦୂଷଣ ମୁକ୍ତ ରଖିବାକୁ ସହାୟକ ହେବ ବୋଲି କହିଛନ୍ତି ପରିବେଶବିତ୍ । ତେଣୁ ମଣ୍ଡପଗୁଡ଼ିକ ଏହି ନିୟମଙ୍କୁ ମାନିବାକୁ ଉପଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ