ଭୁବନେଶ୍ବର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 3 ହଜାର ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ତଥା ମେଡିକାଲ କଲେଜରେ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ରହିବ। ଏହି ପ୍ୟାକେଜରେ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନ ଘର, ଉଠା ଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ, ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।
ସିଧାସଳଖ ସ୍ଥିତିବାନ ଜମି କିଣିବେ ସରକାର। ଜମି ଅଧିଗ୍ରହଣ ଆଇନ ଅନୁସାରେ ଆର୍ଥିକ ସହାୟତା ଦିଆଯିବ। କେବଳ ସେତିକି ନୁହେଁ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଅନଧିକୃତ ବାସଗୃହ ପାଇଁ ଏକକାଳୀନ ସହାୟତା ପାଇଁ ପ୍ରତି ପରିବାରକୁ 50 ହଜାର ଟଙ୍କା ଦିଆଯିବ।
ପ୍ରତି ପରିବାରକୁ 15x15ରେ ଫ୍ଲାଟ ଯୋଗାଇ ଦିଆଯିବ। ପରବର୍ତ୍ତୀ ସମୟରେ ଗୃହ ନିର୍ମାଣ ପ୍ରକଳ୍ପରେ ଏମାନଙ୍କୁ ସାମିଲ କରାଯିବ ପରେ ସେହି ପରିବାର ଏହି ଅସ୍ଥାୟୀ ଘର ଛାଡିବେ। ଅସ୍ଥାୟୀ ଆବାସ ସ୍ଥଳୀରେ ଆଶ୍ରୟ ନେଇଥିବା ଲୋକଙ୍କୁ 8 ଦିନ ଯାଏଁ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦିଆଯିବ।
ପଞ୍ଜିକୃତ ମାଛ ବିକ୍ରେତାଙ୍କୁ 1 ଲକ୍ଷ ତାଙ୍କର ଏକକାଳୀନ ସହାୟତା ଦିଆଯିବ। ମହାନଗର ନିଗମ ସେମାନଙ୍କ ସ୍ବୀକୃତି ରାଶି ଫେରାଇ ଦେବେ। ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି। ସେହିପରି ସ୍ଥାୟୀ ଦୋକାନ ଘର ପାଇଁ ସରକାରୀ ଅଧିଗ୍ରହଣ ଅନୁସାରେ ସହାୟତା ଯୋଗାଇ ଦିଆଯିବ।
ଅନଧିକୃତ ଦୋକାନୀ ଘର ପାଇଁ 30 ହଜାର, ଉଠା ଦୋକାନୀଙ୍କୁ 20 ହଜାର, ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ 1 ଲକ୍ଷ ଟଙ୍କା ଯୋଗାଇ ଦେବେ ସରକାର। ଗାଈ ଗୁହାଳ ପିଛା ଏକକାଳୀନ 20 ହଜାର, ସରକାରୀ କ୍ବାର୍ଟର ଖାଲି କରୁଥିବା ଅଧିକାରୀଙ୍କୁ ଏକ ବର୍ଷ କିମ୍ବା ନୂଆ କ୍ବାର୍ଟର ନମିଳିବା ଯାଏଁ ସହାୟତ ଦିଆଯିବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ 5000, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ 7500, ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କୁ 10 ହଜାର, ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ 12, 500 ତାଙ୍କ ଦିଆଯିବ। କଟକ ଜିଲ୍ଲାପାଳ ଏହି ଦାୟିତ୍ଵ ତୁଲାଇବେ। ଆବଶ୍ୟକ ପଡିଲେ ରାଜସ୍ବ କମିଶନରଙ୍କ ପରାମର୍ଶ ନେଇ ପାରିବେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ