କଟକ/ଭୁବନେଶ୍ବର: 2018 ମସିହା ସବ ଇନ୍ସପେକ୍ଟର ପରୀକ୍ଷା ତ୍ରୁଟି ମାମଲା । ଆଜି ହେବାକୁ ଥିବା ପରୀକ୍ଷା ପୁଣି ସ୍ଥଗିତ (Re examination of Paper I in CPSE 2018 postponed ) । ବୈଷୟିକ ତ୍ରୁଟି ଯୋଗୁଁ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ OPRB (Odisha Public Recruitment Board ) ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୫ ଦିନ ଭିତରେ ପୁନଃ ପରୀକ୍ଷା କରିବାକୁ ଯୋଜନା କରାଯାଉଥିବା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଗତ ମାସରେ ଥରେ ମାତ୍ର ଏହି ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ତ୍ରୁଟି ପାଇଁ ପୁନର୍ବାର ଆଜି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।
ଆଜି ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ସିଟିଂ ପିଲାଙ୍କୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲେ ମଧ୍ୟ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷା କରାଯାଇ ନାହିଁ । ଅନ୍ୟପଟେ ଦ୍ବିତୀୟ ସିଟିଂ ପାଇଁ ପରୀକ୍ଷାର୍ଥୀ ପହଞ୍ଚି ଅପେକ୍ଷା କରିଛନ୍ତି । ବନ୍ୟା ପାଇଁ ସମସ୍ତ ପରୀକ୍ଷା ବାତିଲ ହେଉଥିବା ବେଳେ କିଭଳି ଏ ପରୀକ୍ଷା କରିବାକୁ ସ୍ଥିର ହେଲା ଏନେଇ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନ କରିଛନ୍ତି । ବୈଷୟିକ ତ୍ରୁଟି ପାଇଁ ଏହି ପରୀକ୍ଷା ସ୍ଥଗିତ ହୋଇଥିବା OPRB ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ (OPRB chairman Sudhanshu Sarangi) ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।
ସେ କହିଛନ୍ତି, " କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ହେଉଥିବାବେଳେ ଦିଲ୍ଲୀର ଏକ ସଂସ୍ଥା ପରିଚାଳନା କରୁଥିଲା । ପରୀକ୍ଷା ବାତିଲ ହେବା ସହ ଆଗାମୀ 15 ଦିନ ଭିତରେ ପରୀକ୍ଷା କରାଇବା ପାଇଁ ଯୋଜନା କରାଯାଉଛି । କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ।" ଯଦି ଆବଶ୍ୟକ ପଡ଼ିବ OMR ସିଟରେ ପରୀକ୍ଷା କରେଇବା ପାଇଁ ଯୋଜନା କରାଯିବ ବୋଲି ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପରୀକ୍ଷା ବିଭ୍ରାଟ ନେଇ କଟକ, ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି।
ଇଟିଭି ଭାରତ, ଭୁବନେଶ୍ବର, କଟକ