ଭୁବନେଶ୍ବର: ଲୋକସେବା ଭଵନରେ ପହଞ୍ଚିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ଗସ୍ତ ସମୟରେ ଶକ୍ତିକାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆରବିଆଇ ଗଭର୍ଣ୍ଣର ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ୍ ବହୁତ ଭଲ ଥିଲା । ସାକ୍ଷାତକାର ସମୟରେ ବ୍ୟାଙ୍କ ଓ ଫାଇନାନ୍ସ ଇନକ୍ଲ୍ୟୁଜନ, ଡିଜିଟାଲ ପେମେଣ୍ଟ, ବ୍ୟାଙ୍କ ଋଣ କିଭଳି ଭଲ ଭାବରେ ଦିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି । ଓଡିଶା ମୋର ରାଜ୍ୟ, ଭୁବନେଶ୍ବରରେ ମୁଁ ବଢିଛି । ତେଣୁ ଏହା ଏକ ସ୍ବଜନମୂଳକ ସାକ୍ଷାତ ଥିଲା । ସୂଚନାନୁସାରେ, ଶୁକ୍ରବାର ରିଜର୍ଭ ବ୍ୟାଙ୍କ ସେଣ୍ଟ୍ରାଲ ବୋର୍ଡର ମିଟିଂ ରହିଛି । ପୂର୍ବରୁ 2012ରେ ଓଡ଼ିଶାରେ ଏହି ମିଟିଂ ହୋଇଥିଲା । ୭ ବର୍ଷ ପରେ ପୁଣି ଥରେ ବୋର୍ଡର ମିଟିଂ ଭୁବନେଶ୍ବରରେ ଆୟୋଜନ କରାଯାଉଛି ।
ସେହିପରି ଆର୍ଥିକ ମାନ୍ଦାବସ୍ଥା ନେଇ ଆରବିଆଇ ବ୍ୟାଙ୍କ ମାନଙ୍କୁ ଜାରି କରିଥିବା ନିର୍ଦ୍ଦେଶ ପ୍ରସଙ୍ଗରେ ଶକ୍ତିକାନ୍ତ ଉତ୍ତର ରଖି କହିଛନ୍ତି, ଏହା କୌଣସି ନିର୍ଦ୍ଦେଶନାମା ନଥିଲା । ଦେଶରେ ଆର୍ଥିକ ମାନ୍ଦାବସ୍ଥା ନୂଆ କଥା ନୁହେଁ, ଅନେକ ସମୟରେ ଏଭଳି ସମସ୍ୟା ଆସେ । ଏହି ସମସ୍ୟାକୁ କିଭଳି ଅତିକ୍ରମ କରିପାରିବା ତାହା ଜଣାଅଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ