ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ପତିତମାନଙ୍କୁ ଦର୍ଶନ ପାଇଁ ବଡ ଦାଣ୍ଡକୁ ବର୍ଷକ ଥରେ ଓହ୍ଲାଇ ଆସିନ୍ତି ବଡ ଠାକୁର ନଟ ନାଗର ଓ ସୁନା ନାକି ଭଉଣୀ ଦେବୀ ସୁଭଦ୍ରା । ବଡଦାଣ୍ଡରେ ଏକାକାର ହୁଅନ୍ତି ଭକ୍ତ ଭଗବାନ । ରଥାରୁଢ ବିଶ୍ବନିୟନ୍ତାଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ ପାଇ କୃତ୍ୟ କୃତ୍ୟ ହୁଏ ଭକ୍ତ ।
ହେଲେ ଦୀର୍ଘ 2 ବର୍ଷ ହେଲା ମହାମାରୀ କରୋନା ଭକ୍ତ ଭଗବାନଙ୍କ ମଧ୍ୟରେ ସୃଷ୍ଟି କରିଛି ପାଚେରି । ଭକ୍ତ ବତ୍ସଳ ଶ୍ରୀଜିଉ ପ୍ରିୟ ଭକ୍ତର ଭକ୍ତି ନପାଇ ଯେମିତି ହେଉଛନ୍ତି ଛଟପଟ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତଶୂନ୍ୟ ଘୋଷଯାତ୍ରା ହେଉଛି ଆୟୋଜନ । ଛତିଶା ନିଯୋଗ ସେବାୟତ ଓ ପ୍ରଶାସନର ଉପସ୍ଥିତିରେ ଆରମ୍ଭ ହୋଇଛି ଦାରୁବ୍ରହ୍ମଙ୍କ ନବଦିନାତ୍ମକ ଯାତ୍ରା ।
ଭକ୍ତ ବିନା ଯେମିତି ଭଗବାନ ମଧ୍ୟ ଘୋଷଯାତ୍ରା ପାଇଁ ଉତ୍ସାହିତ ନାହାଁନ୍ତି । ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ଓହ୍ଲାଇ ଆସିଲା ପରେ ଭାବ ବିନୋଦିଆ ଯେମିତି ଖୋଜୁଛି ଭକ୍ତଙ୍କୁ । ବଡଦାଣ୍ଡରେ ଭକ୍ତଙ୍କୁ ନପାଇ କାଳିଆ ଆଖିରୁ ବହି ଆସୁଛି ଅଶ୍ରୁର ଧାର । ସତେ ଯେମିତି ଉଦାସୀନ ଜଗନ୍ନାଥଙ୍କୁ ବୁଝାଉଛନ୍ତି ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରା । ହେଲେ ଭକ୍ତର ଠାକୁର ଭାବ ବିନୋଦିଆର ବୁଝୁନାହିଁ ମନ । ସତେ ଯେମିତି କହୁଛି କାହିଁକି ମୋର ଦାଣ୍ଡରେ ଶୁଭୁନାହିଁ ଜୟ ଜଗନ୍ନାଥ ଧ୍ବନି... କାହିଁ ଉଚ୍ଚାରଣ ହେଉନାହିଁ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର... କାହିଁକି ଆଜି ପୁରୁଷତ୍ତୋମ କ୍ଷେତ୍ରରେ ନୀରବତା ? କୁଆଡେ ଗଲେ ଭକ୍ତ ଜନ ମୋର... ଯାହାଙ୍କ ପାଇଁ ଆସିଛି ମୁଁ ବଡଦାଣ୍ଡ ସେ ତ ନାହିଁ .... ମୁଁ ଅବା ଏକା ଏକା କେମିତି କରିବି ଘୋଷଯାତ୍ରା...
ସେପଟେ ଭକ୍ତ ଟିଏ ମଧ୍ୟ ଆକୁଳ ନିବେଦନ କରି କହୁଛି... ଚର୍ମଚକ୍ଷୁରେ ନହେଲା ନାହିଁ ପ୍ରଭୁ । ପରୋକ୍ଷରେ ତୁମର ଦର୍ଶନ ପାଇ ମୁଁ ବିମୋହିତ । ମୁଁ ବଡଦାଣ୍ଡ ନଗଲି ନାହିଁ ତୁମେ ବଡଦାଣ୍ଡରେ କର ତୁମ ବଡଯାତ୍ରା । ଭକ୍ତ ବିନା ଘର୍ଘର ନାଦ କରି ବଡଦାଣ୍ଡରେ ଗଡୁ ନନ୍ଦିଘୋଷ । ଅକ୍ଷୁର୍ଣ୍ଣ ରହୁ କାଳ କାଳକୁ ତୁମର ଏହି ଳୀଳା । ତୁମେ ଚାହିଁଲେ ନାଶ ହେବ ମହାମାରୀ । ହଟିଯିବ କଟକଣାର ପାଚେରୀ । ପୁଣି ଭକ୍ତ ଭଗବାନଙ୍କ ହେବ ମହାମିଳନ । ଦୂରରେ ଥାଇ ପ୍ରଭୁ କରୁଛି ଏତିକି ପ୍ରାର୍ଥନା ।
ସୂଚନାଯୋଗ୍ୟଯେ ଗୁଣ୍ଡିଚା ଯାତ୍ରାରେ ଜନସମୁଦ୍ର ପାଲଟୁ ଥିବା ବଡଦାଣ୍ଡ ଆଜି ଖାଁ ଖାଁ । କାଳିଆ ଡୋରିରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଆଇନ ଡୋରିରେ ବାନ୍ଧି ହୋଇଛି ଘୋଷଯାତ୍ରା । ଭକ୍ତ ଶୂନ୍ୟ ପାଲଟିଛି ବଡଦାଣ୍ଡ । ବିନା ଭକ୍ତରେ ସେବାୟତଙ୍କୁ ନେଇ ଚାଲିଛି ରଥଯାତ୍ରା ।
ମହାପ୍ରଭୁଙ୍କ ଅତି ନିକଟରେ ଥାଇ ବି ତାଙ୍କୁ ଦର୍ଶନ କରି ପାରିନାହାନ୍ତି ବଡଦାଣ୍ଡବାସୀ । ସ୍ବଚକ୍ଷୁରେ ଜଗାକୁ ଦେଖିବା ଉପରେ ଲାଗିଛି କଟକଣା । ନିଜ ଘର ଛାତ ଉପରୁ ବି କାଳିଆର ଟିକେ ଝଲକ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।
ରବିବାର ରାତିରୁ ସହରକୁ 48 ଘଣ୍ଟା ପାଇଁ ସିଲ କରାଯାଇଛି । ବଡଦାଣ୍ଡରେ 144 ଧାରା ଲାଗିଛି । ସହରର ଗଳି କନ୍ଦିରେ ପ୍ରହରା ଦେଉଛି ପୋଲିସ । 65 ପ୍ଲାଟୁନ ପୋଲିସ ଫୋର୍ସ ସମୁଦାୟ ପୁରୀ ସହରକୁ ଜଗିଛନ୍ତି । ସହରକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ