ଭୁବନେଶ୍ବର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ ଗୃହବିଭାଗ ଅଧିନରେ ଥିବା ପୋଲିସର ଦମନଲୀଳାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିବା ସହ ପୋଲିସ ଏହାକୁ ଚାପି ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପ୍ରଦୀପ ।
ଘଟଣାକୁ 33 ଦିନ ବିତିଯାଇଥିଲେ ବି ପୋଷ୍ଟମର୍ଟମ ରିପୋର୍ଟ ଆସିନଥିବା ଓ କାହାରିକୁ ଗିରଫ କରାଯାଇନଥିବା କହି ସରକାରଙ୍କୁ ଘେରିଛନ୍ତି ସେ । ଲକ୍ଡାଉନ୍ ସମୟରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା କରି ଘଟଣାକୁ ଚପାଇଦେବାକୁ ପୋଲିସ ଅପଚେଷ୍ଟା କରୁଥିବା କହି ସେ ସିଧାସଳଖ ପୋଲିସକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ସେହିପରି 10 ଟଙ୍କାର ମାସ୍କ ନପିନ୍ଧିଲେ ପୋଲିସ ମାମଲା ରୁଜୁ କରି ଗିରଫ କରୁଛି କିନ୍ତୁ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ହେବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହା ଆଦିବାସୀ ମହିଳାଙ୍କ ମୂଲ୍ୟ 10 ଟଙ୍କାରୁ କମ୍ ବୋଲି ଦର୍ଶାଉଥିବା କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ମହିଳାଙ୍କ ଦେହର ବିଭିନ୍ନ ସ୍ଥାନରେ ରଡ୍ ଭୁଶା ଯାଇଥିବା ତଥା ଅନ୍ୟାନ୍ୟ ଦାଗ ଥିବାର ଫଟୋ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ନ୍ୟାୟ ଦିଅନ୍ତୁ ବୋଲି ସେ କହିଛନ୍ତି । ସେହିପରି ମହିଳାଙ୍କ ସ୍ବାମୀଙ୍କ ଠାରୁ 6ଟି ସାଧା ପେପରରେ ପୋଲିସ କାହିଁକି ଟିପଚିହ୍ନ ନେଇଛି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ମହିଳାଙ୍କୁ ଚିକିତ୍ସା ତଥା ତାଙ୍କର ପୋଷ୍ଟମର୍ଟମକୁ ନେଇ ମଧ୍ୟ ସେ ପୋଲିସକୁ କାଠଗଡାକୁ ଟାଣିଛନ୍ତି । ଉକ୍ତ ଆଦିବାସୀ ମହିଳାଙ୍କ ପରିବାରକୁ ଯଦି ନ୍ୟାୟ ନମିଳେ ରାଜ୍ୟସାରା ପ୍ରଦେଶ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି । ସେହିପରି ପୀଡିତାଙ୍କ ପରିବାରକୁ 20 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି । ତେବେ କଂଗ୍ରେସ ଭବନରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ରଶ୍ମୀ ମହାପାତ୍ର ଓ ଶୁଭଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ