ଭୁବନେଶ୍ବର: ଭୁଲ ଟ୍ବିଟ୍ କରି କ୍ଷମା ମାଗିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ମୃତ ଘୋଷଣା କରିବା ପରେ କ୍ଷମା ମାଗିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ସୋସିଆଲ ମିଡ଼ିଆ ନିଶା ଏତେ ଯେ ଭୟଙ୍କର ତାର କଳନା ନାହିଁ । ଶୁକ୍ରବାର ଏମିତି କିଛି ଦେଖିବାକୁ ମିଳିଥିଲା ସୋସିଆଲ ମିଡ଼ିଆରେ । ଜଣେ ଜୀବିତ ଲୋକଙ୍କୁ ମୃତ ଘୋଷଣା କରି ଶ୍ରଦ୍ଧାଞ୍ଜଳି ଦେବା ଘଟଣା ଚର୍ଚ୍ଚାକୁ ଆସିଥିଲା । ଏପରି କାର୍ଯ୍ୟ କେହି ସାଧାରଣ ଲୋକ ନୁହେଁ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କରିଥିଲେ ।
ଟ୍ବିଟରରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କୁ ମୃତ ଘୋଷଣା କରିଥିଲେ ରାଜ୍ୟ ଖାଉଟି କଲ୍ୟାଣ ଏବଂ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଟ୍ବିଟ କରି ପ୍ରଥମେ ଶ୍ରଦ୍ଧାଞ୍ଜଳି ଦେବା ପରମ୍ପରା ଏତେ ଯେ ଭୟଙ୍କର, ତାହା ରଣେନ୍ଦ୍ରଙ୍କ ଅଫିସିଆଲ୍ ଆକାଉଣ୍ଟରୁ ହୋଇଥିବା ଟ୍ବିଟ ପ୍ରମାଣିତ କରୁଥିଲା ।
ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ପୁଣି ଏକ ଟ୍ବିଟ କରି ମନ୍ତ୍ରୀ କ୍ଷମା ମାଗିବା ସହ ଟିଭିରେ ଏକ ଚ୍ୟାନେଲରୁ ଭୁଲ୍ ନାଁ ପଢ଼ି ଏପରି ଟ୍ବିଟ କରିଥିବା କହିଛନ୍ତି ମନ୍ତ୍ରୀ। ଏହାସହ କୋରୋନାକୁ ହରାଇ ପ୍ରଦୀପ୍ତ ଶୀଘ୍ର ଫେରିବେ ବୋଲି ମତ ପ୍ରକାଶ କରିଛନ୍ତି ମନ୍ତ୍ରୀ ।
ଅନ୍ୟ ଏକ ଟ୍ବିଟରେ ମନ୍ତ୍ରୀ ଲେଖିଛନ୍ତି, ଏପରି ଟ୍ବିଟ ପାଇଁ ମୁଁ ହୃଦୟର ସହ କ୍ଷମା ପ୍ରାର୍ଥନା କରୁଛି । କାହା ଭାବନାକୁ ଆଘାତ ପହଁଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା ।
ପ୍ରକାଶ ଥାଉକି, କୋଭିଡରେ ସଂକ୍ରମିତ ହୋଇ ଭେଣ୍ଟିଲେଟରରେ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପ୍ରଦୀପ୍ତ । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି । ତାଙ୍କୁ ଆରୋଗ୍ୟ କରିବା ଲାଗି ଏମ୍ସର ସ୍ୱତନ୍ତ୍ର ଟିମ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଧାନସଭାର ବାଚସ୍ପତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ