ଭୁବନେଶ୍ବର: ଜାତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଚାଷୀ ନେତା ରାକେଶ ଟିକାୟତ ଓଡିଶା ଗସ୍ତ କରିଛନ୍ତି । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହର ଦାବି କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଟିକାୟତ । ବର୍ତ୍ତମାନ ସେ ଓଡିଶା ଚାଷୀ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ଟିକାୟତ ପହଞ୍ଚିବା ପରେ ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ଚାଷୀ ସମ୍ମିଳନୀରେ ଯୋଗ ଦେଇଥିଲେ ଟିକାୟତ । ଏହାପରେ ସେ ଭୁବନେଶ୍ୱରରେ ଏକ ପ୍ରେସମିଟ କରିଛନ୍ତି । ସେ କହିଛନ୍ତି ଜାରି ରହିବ ଦିଲ୍ଲୀରେ କୃଷକ ଆନ୍ଦୋଳନ । ଏବେ ମାତ୍ର ଶହେ ଦିନ ହୋଇଛି । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର 3 କୃଷି ଓ କୃଷକ ବିଲ ଫେରେଇ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ।
ଯାଜପୁର ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଆୟୋଜିତ କୃଷକ ମହାପଞ୍ଚାୟତରେ ଯୋଗ ଦେଇ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଟିକାୟତ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର କରିନାହାନ୍ତି । ତେଣୁ ଦେଶର କୃଷକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଦୟା କିମ୍ବା ଦରଦ ନାହିଁ । କେନ୍ଦ୍ର ସରକାର ଯେତିକି କଠୋର ହେବେ ତାଠାରୁ ଆହୁରି ଅଧିକ କଠୋର ହେବେ କୃଷକ । ବର୍ଷାରେ କୃଷକ ରାଜରାସ୍ତାରେ ବସିଥିଲେ । ଖରାରେ ମଧ୍ୟ ବସିବେ । ଯେପର୍ଯ୍ୟନ୍ତ କୃଷି ବିରୋଧୀ ବିଲ ସରକାର ଉଠେଇ ନାହାନ୍ତି ଆନ୍ଦୋଳନରୁ ଉଠିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କୃଷକ ନେତା । ସାରା ଦେଶରେ କୃଷକ ମହାପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜନ କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଚାର କରାଯିବ ।
କେନ୍ଦ୍ରରେ ମୋଦି ସରକାରଙ୍କ ଚାଷୀ ବିରୋଧି ଆଇନ ପ୍ରତ୍ୟାହାର ଦାବିରେ ତାଙ୍କ ଲଢେଇ ଜାରି ରହିବ ବୋଲି କହିଛନ୍ତି ରାକେଶ ଟିକାୟତ । ଓଡ଼ିଶାରେ ଚାଷୀଙ୍କ ସମସ୍ୟାକୁ ନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ