ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ବିତିଛି ଗୋଟିଏ ମାସ । ଛାତିଥରା ବିସ୍ଫୋରଣ ଘଟଣାରେ ଯାଇଛି ୨ ଜଣଙ୍କ ଜୀବନ । ହେଲେ ଏଯାବତ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ମୃତକର ପରିଚୟ ଜାଣିବାକୁ ଘଟଣାସ୍ଥଳରୁ ମିଳିଥିବା ଖଣ୍ଡବିଖଣ୍ଡିତ ମାଂସରୁ ମୃତକ ସିମାଞ୍ଚଳ ପରିଡା ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିସନର ।
ସେପଟେ ଘଟଣା କେଉଁ କାରଣରୁ ଘଟିଲା, କେତେ ଜଣ ଥିଲେ, କେଉଁ କାମ ଚାଲୁ ରହିଥିଲା ଯେଉଁଥିପାଇଁ ଏଭଳି ଘଟଣା ଘଟିଲା, ଯାହାର ସମସ୍ତ ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିର ସିଲଭର ପେନ ଡ୍ରାଇଭରେ ରହିଛି । ଯାହାର କପି ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ହେଲେ ସବୁ ଦେଖି ବି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି କମିଶନରେଟ ପୋଲିସ । ଯାହା ଏବେ ବଡ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।
ସେହିପରି ସାଇଣ୍ଟଫିକ ଟିମର ମିଳିଥିବା ତଥ୍ୟ କେଉଁ ଅବହେଳାର ସତ ଖୋଲିଛି । ଏକ୍ସପ୍ଲୋସିଭ ଡିପାର୍ଟମେଣ୍ଟ ଦେଇଥିବା ତଥ୍ୟରେ କାହାର ଅବହେଳା ରହିଛି । ତମାମ ସତ ଜାଣିବା ପରେ କାହିଁକି ଚୁପ ରହିଛି କମିସନରେଟ ପୋଲିସ । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଏହା ଏବେ ପ୍ରଶ୍ନ ରହିବ ନା ସତ ସାମ୍ନାକୁ ଆସିବା ତାହା ମଧ୍ୟ ରହସ୍ୟରେ ।
ପ୍ରକାଶ ଥାଉ କି, ଅକ୍ଟୋବର ୭ ତାରିଖରେ ଦିନ ଦ୍ବିପ୍ରହରେ ରାଜଧାନୀ ଭୁବନେଶ୍ବର ଘଟିଥିଲା ଏହି ବିସ୍ଫୋରଣ । ଯାହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଗ୍ୟାସ ମନ୍ତ୍ରାଳୟ ଠୁ ଆରମ୍ଭ କରି କମିସନରେଟ ପୋଲିସ ଛାନଭିନ କରିଥିଲା । ତେବେ ଘଟଣାର ଏକ ମାସ ପରେ ବି ପୋଲିସର ହାତ ଖାଲି ରହିଛି । ଏବେ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦେବେ କି ରାଜ୍ୟ ସରକାର ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ