ହାଇଦ୍ରାବାଦ: ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ (ପୁରୁଷ ଓ ମହିଳା) ୨୦୨୧-୨୨ ଆଜି (ଶନିବାର) ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଚାଲିବ । ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ ଦାବିଦାର କ୍ରୀଡାବିତ ଅଂଶଗ୍ରହଣ କରିବେ । ଭାରତୀୟ ରେଳବାଇର କ୍ରୀଡା ବିଭାଗ ରେଳବାଇ କ୍ରୀଡା ପ୍ରୋତ୍ସାହନ ପରିଷଦର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ବନ୍ଦିତା କରିବେ ।
ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି । ସେହିପରି ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ ହାସଲ କରିଛି । ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି । ରେଳବାଇ କ୍ରୀଡା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡା ପ୍ରୋତ୍ସାହନ ସହ ଭିତ୍ତିଭୂମି ବିକାଶ କରୁଛି । ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି ।
ରେଳବାଇର ପ୍ରାୟ ୧୦ ହଜାର କ୍ରୀଡା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡା ଗତିବିଧିରେ ସକ୍ରିୟ ରହିଛନ୍ତି । ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡାବିତମାନଙ୍କୁ ନିଯୁକ୍ତି ଦେଇଛି । ଅନ୍ତର୍ଜାତୀୟ କ୍ରୀଡା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡାବିତ ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡା ହେଉକି ଏସୀୟ କ୍ରୀଡା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡାବିତମାନେ ଦେଶର ପ୍ରଦର୍ଶନରେ ବଡ ଯୋଗଦାନ ଦେଇଥାନ୍ତି ।
ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ସୁଶ୍ରୀ ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ । ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ । ଅର୍ଜ୍ଜୁନ ପୁରସ୍କାର ବିଜେତା ସତୀଶ ଶିବଲିଙ୍ଗ, ସୁଶ୍ରୀ ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ