ଭୁବନେଶ୍ବର: ରେଳବାଇରେ ଚାକିରୀ କରାଇ ଦେବାପାଇଁ କିଏ ଆପଣଙ୍କୁ ଲୋଭ ଦେଖାଉଛି କି ? ଚାକିରୀ ପାଇଁ ଟଙ୍କା ମାଗୁଛି କି? ହୋଇଯାଆନ୍ତୁ ସାବଧାନ । ନଚେତ ହୋଇପାରନ୍ତି ଠକାମୀର ଶିକାର । କାରଣ ଏବେ ରେଳବାଇରେ ରେଲୱେ ପ୍ରୋଟେକ୍ସନ ଫୋର୍ସ(RPF) ଓ ଅନ୍ୟାନ୍ୟ ପଦୀବିରେ ନିଯୁକ୍ତି ଚାଲିଥିବା ନେଇ ଚାଲିଛି କିଛି ମିଛ ଖବର । ଯାହାକୁ ନେଇ ରେଳ ମନ୍ତ୍ରଣାଳୟ ସାଧାରଣ ଲୋକ ଓ ଆଶାୟୀଙ୍କୁ କରିଛି ସତର୍କ ।
ପୁରା ଘଟଣା କଣ ?
ଗତ କିଛି ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆ ଓ ୱେବ ମିଡିଆରେ ରେଳବାଇରେ ଆରପିଏଫ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ନେଇ ବାରମ୍ବାର ମିଛ ଖବର ପ୍ରସାରଣ କରାଯାଉଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା । ଚାକିରୀ ଆଶାୟୀ ଥିବା ପ୍ରାର୍ଥୀଙ୍କୁ ଲୁଟ କରିବା ଏମାନଙ୍କ ଉଦ୍ଦେଶ୍ୟ । ହେଲେ ଏହି ଖବର ପ୍ରସାରଣ କରି କିଛି ଠକ ଓ ଦଲାଲ ଗୋଷ୍ଠୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଚାକିରୀ ଆଶାୟୀଙ୍କୁ ନିର୍ଭର ପ୍ରତିଶୃତି ଦେଇ ଟଙ୍କା ଲୁଟ ପାଇଁ ଉଦ୍ୟମ କରୁଛନ୍ତି । ଏହି ଘଟଣା ଜଣାପଡିବା ପରେ ଭାରତୀୟ ରେଳବାଇ ପକ୍ଷରୁ ଚାକିରୀ ଆଶାୟୀ ଓ ସାଧାରଣ ଲୋକଙ୍କୁ ସଚେତନା କରାଯାଇଛି । ଏହାସହ ବିନା କାହାକୁ ଚାକିରୀ ପାଇଁ ଟଙ୍କା ନଦେବାକୁ ଅନୁରୋଧ କରାଯାଇଛି ।
ରେଳବାଇର ପରାମର୍ଶ ...
ଏହି ମିଛ ଖବର ସାଧାରଣରେ ପ୍ରକାଶ ପାଇବା ପରେ ରେଳବାଇ ଚାକାରୀ ଆଶାୟୀ ଓ ସାଧାରଣ ଲୋକଙ୍କୁ ବିଭିନ୍ନ ପରାମର୍ଶ ଓ ସତର୍କ ସୂଚନା ଜାରି କରିଛି । ରେଳବାଇ ନିଯୁକ୍ତି ନେଇ କୌଣସି ତୃତୀୟ ପକ୍ଷଙ୍କ ସହାୟତା ନିଏ ନାହିଁ। ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା, ବିଜ୍ଞପ୍ତି ଓ ଅନ୍ୟ ନିର୍ଦ୍ଦେଶାବଳୀ ରେଳବାଇର ୱେବସାଇଟ, ବିଭିନ୍ନ ଖବର କାଗଜରେ ବିଜ୍ଞାପନ ଜରିଆରେ ପ୍ରକାଶିତ ହେବ । ତେଣୁ ଏହି ଉପଯୁକ୍ତ ମାଧ୍ୟମରେ ଯିବା ପାଇଁ ପରାମର୍ଶ ଦେଇଛି ।
ପିଆଇବି ଫ୍ୟାକ୍ଟ ଚେକରୁ ସ୍ପଷ୍ଟ ହେଲା ଘଟଣା
ରେଳବାଇ ନିଯୁକ୍ତି ସମ୍ପର୍କିତ ଏହି ମିଛ ଖବର ବିଭିନ୍ନ ସୋସିଆଲ ମିଡିଆ ଓ ୱେବ ମିଡିଆରେ ପ୍ରସାରିତ ହେବା ପରେ ଏହାକୁ ଭାରତୀୟ ରେଳବାଇ ଗମ୍ଭୀରତାର ସହ ନେଇଥିଲା । ଏହାସହ ପ୍ରେସ ଇନଫରମେସନ ବ୍ୟୁରୋ ଅଫ ଇଣ୍ଡିଆର ଫ୍ୟାକ୍ଟ ଚେକ ଟିମ ପକ୍ଷରୁ ଏହି ସମସ୍ତ ଖବର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଏହି ଖବର ସବୁ ମିଛ । ତେଣୁ ରେଳବାଇରେ ଚାକିରୀ ପାଇଁ କୌଣସି ଲୋକଙ୍କୁ ଟଙ୍କା, ବିଭିନ୍ନ ତଥ୍ୟ ଓ ସୂଚନା ନଦେବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ