ଭୁବନେଶ୍ବର: ଟିକା କେନ୍ଦ୍ରରେ ପୋଷ୍ଟରକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଗୋଟିଏ ପଟେ ଟିକା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନଥିବାକୁ ନେଇ ବିଜେପି ସମର୍ଥକ ଅନେକ ସ୍ଥାନରେ ବିକ୍ଷୋଭ କରିବା ସହ ଟିକା କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରୁଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଉଥିବା ଦେଖାଯାଇଛି ।
ଏହାରି ଭିତରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାଇଲେ ଆଗାମୀ ଦିନରେ ଭୁବନେଶ୍ୱରରେ ହେବାକୁ ଥିବା ପୌର ନିର୍ବାଚନରେ ଦଳକୁ ଫାଇଦା ହେବ । ଏଣୁ ସମସ୍ତ କର୍ମୀ ବିଭିନ୍ନ ଟିକା କେନ୍ଦ୍ର ବୁଲିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ପାଇଁ କର୍ମୀମାନଙ୍କୁ କୁହାଯାଇଛି ।
ଏହାସହ ସେ କହିଛନ୍ତି ଯେ, ଟୀକାକରଣ ଭଳି ଏତେ ବଡ କାମ ହାତକୁ ନିଆଯାଇଛି । ଏଣୁ ଏହାର ଫାଇଦା ଉଠାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ଗୋଲକ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଏହି କଥା କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏହି ଅବସରରେ ଦଳର ସଭାପତି ସମୀର ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏବଂ ଏସସି ମୋର୍ଚ୍ଚା ସଭାପତି ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ