ଭୁବନେଶ୍ବର: ଓଡିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ଶାଖା ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜି ଅନୁଷ୍ଠିତ ସମ୍ମିଳନୀରେ ଓଡିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ ତରଫରୁ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୋତିଲାଲ ନେହେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୧୯ତମ ସିଏସଆଇ ଏସଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ରେ ଏହି ଉତ୍କର୍ଷ ପୁରସ୍କାର ମିଳିଛି ।
ଦିନିକିଆ ଏହି କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ ଗୁଡିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଛି । ଏଥିରେ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଭାଗ ନେଇଛନ୍ତି । ଓଡିଶା ବିଧାନସଭାର ପେପରଲେସ୍ ଅଫିସ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ବ, ଦିଗଦର୍ଶନ ଓ ପ୍ରେରଣା ଏବଂ ବିଧାନସଭା ସଚିବଙ୍କ ସମେତ କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଓଡିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି), ଓଡିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକ୍ଟ ଓଡିଶା ଆସେମ୍ବଲ୍ଲୀ ଜର୍ଣ୍ଣି ଟୁଆର୍ଡ୍ସ ଡିଜିଟାଲ ଟ୍ରାନ୍ସଫରମେର୍ଶନକୁ(ପେପର ଲେସ ଆସେମ୍ବଲ୍ଲୀ) ପୁରସ୍କୃତ କରାଯାଇଛି ।
ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଆରତୀ ମିଶ୍ର, ଆହ୍ଲାବାଦ ହାଇକୋର୍ଟର ନ୍ୟାୟାଧିଶ ଅଜିତ ସିଂଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି । ଓଡିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବାଚସ୍ପତି କହିଛନ୍ତି ଯେ, ଅକ୍ଳାନ୍ତ ପରିଶ୍ରମ କରି ଓଡିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ ଓ ନଥିପତ୍ରକୁ ଡିଜିଟାଲାଇଜ କରାଯାଇଛି ।
ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ବାଚସ୍ପତି ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ବ ଅଣାଯିବ ବୋଲି ସେ କହିଛନ୍ତି । ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ବ, ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ପ୍ରେରଣା ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡିଶା ବିଧାନସଭାକୁ ସଂପୂର୍ଣ୍ଣ ଡିଜିଟାଲାଇଜ କରାଯିବା ସହ ସର୍ବଭାରତୀୟ ସ୍ବୀକୃତି ମିଳିପାରିଛି ବୋଲି ସଚିବ ଦାଶରଥି ଶତପଥୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ