ଭୁବନେଶ୍ବର: ରାଜ୍ୟରେ ନିର୍ମାଣ ହେଉଛି ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲ । ହସ୍ପିଟାଲ ନିର୍ମାଣର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବାଗଚି ଦମ୍ପତି । ସୁବ୍ରତ ବାଗଚୀ, ସୁସ୍ମିତା ବାଗଚୀଙ୍କ ସହ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଫାଉଣ୍ଡର ଡ. ଶ୍ରୀନାଥ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । 750 ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ ଶୁଭାରମ୍ଭର ଶୁଭ ଦେଇଛନ୍ତି । କୋଭିଡ ସତ୍ତ୍ୱେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । କ୍ୟାନ୍ସର ରୋଗୀଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
2023 ରଥଯାତ୍ରା ସୁଦ୍ଧା କ୍ୟାନସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଏହାସହ ରୋଗୀ ସେବା ଆରମ୍ଭ ହେବ । କ୍ୟାନସର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ । କ୍ୟାନସର ହସ୍ପିଟାଲ ସମେତ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ କରାଯାଉଛି । ଏ ନେଇ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ ହୋଇଛନ୍ତି । ଏହା ସହ 100 ଶଯ୍ୟା ବିଶିଷ୍ଟ ଏହି ପାଲିଟିଭ କେୟାର ୟୁନିଟ ନିର୍ମାଣ କରାଯାଉଛି । କରୁଣାଶ୍ରୟ ସଂସ୍ଥା ପକ୍ଷରୁ ୟୁନିଟ କାମ ଆରମ୍ଭ ହୋଇଛି । ବିଶ୍ୱର ବୃହତ ହସ୍ପିଟାଲରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ । ବାଗଚୀ ଦମ୍ପତି ଏହି ଦୁଇ ଅନୁଷ୍ଠାନ ଲାଗି ଅର୍ଥ ଦାନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ