ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ 4 ଜିଲ୍ଲାରେ ପ୍ରବଳ ବର୍ଷା । ପୂର୍ବାନୁମାନ କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁବାର ସକାଳ ସାଢେ 8ଟା ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାବ୍ୟତୀତ ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର ପଶ୍ଚିମ ଏବଂ ଉତ୍ତର ଆନ୍ଧ୍ର, ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହା ପଡୋଶୀ ରାଜ୍ୟ ଦେଇ ଗତି କରୁଛି । ଏହାର ପ୍ରଭାବରେ ଓଡିଶାରେ ଉପରୋକ୍ତ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ କୃଷ୍ଣପ୍ରସାଦରେ ୯୬.୮ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ମୋଟ ୩୫୭.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୦ ପ୍ରତିଶତ କମ୍ । ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ