ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣାରେ ଦ୍ବିତୀୟ ଦିନରେ ତଦନ୍ତ ଜାରି ରହିଛି । ଅଭିଯୋଗ କରିଥିବା ଗ୍ରାମବାସୀଙ୍କ ପାଖରେ ପହଞ୍ଚି 2 ପ୍ରଶାସନିକ ଅଧିକାରୀ ତଦନ୍ତ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥା ବେଆଇନ ଭାବେ ଜମି ଜବରଦଖଲ କରିଥିବା ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଗତକାଲି ଠାରୁ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ମଙ୍ଗଳବାର ଦୁଇ ଜଣ ପ୍ରଶାସନିକ ଅଧିକାରୀ ସାରୁଅ ମଲିକ ସାହିରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସ୍ଥାନୀୟ ଲୋକମାନଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ଗ୍ରାମବାସୀ ପୋଖରୀ, ଚାଷ ଜମିକୁ ବ୍ୟବହାର କରିପାରୁ ନଥିବା ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି ।
ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଡେପୁଟି ସବ କଲେକ୍ଟର ତରୁଣ କାନ୍ତ ମହାପାତ୍ର ଆଜିର ତଦନ୍ତରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ସାରୁଅ, ଗଉଡ଼ପୁଟ, ଜଇମଙ୍ଗଳ ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ