ଭୁବନେଶ୍ବର: ଜେଲରେ ପାଠ ପଢିବେ କଏଦୀ । ଆଜିଠୁ ଭୁବନେଶ୍ବର ସ୍ବତନ୍ତ୍ର କାରାଗାରରେ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଜେଲ୍ ଅନ୍ତେବାସୀଙ୍କ ପାଇଁ ଆରମ୍ଭ ହୋଇଛି ଶିକ୍ଷାଦାନ ବ୍ୟବସ୍ଥା । ଅନ୍ତେବାସୀଙ୍କୁ କଲେଜ ସ୍ତରୀୟ ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଦିଆଯିବ । ପ୍ରଥମେ ରାଜ୍ୟର ସମ୍ବଲପୁରରେ ଏହି ବ୍ୟବସ୍ଥା କରାଯାଇଛି । ଜେଲର ଅବଧି ମଧ୍ୟରେ କଏଦୀ ସର୍ଟ ଟର୍ମ କୋର୍ସ କରିପାରିବେ । ଶିକ୍ଷା ମାଧ୍ୟମରେ ସେମାନଙ୍କର ଯଦି କିଛି ପରିବର୍ତ୍ତନ ହେଲା ତେବେ ଜେଲରୁ ମୁକୁଳିଲା ପରେ ସମାଜରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି କହିଛନ୍ତି ଜେଲ୍ ଡିଜି ।
ପୂର୍ବରୁ ରାଜ୍ୟର 4ଟି ଜେଲରେ ଏହି ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ବାଲେଶ୍ବର, ବ୍ରହ୍ମପୁର, ଚୌଦ୍ବାର ଏବଂ ସମ୍ବଲପୁର ଜେଲରେ ଏହି ବ୍ୟବସ୍ଥା ରହିଛି । ଏବେ ପ୍ରଥମ ଥର ପାଇଁ ଭୁବନେଶ୍ବର ଝାରପଡା ସ୍ବତନ୍ତ୍ର କାରାଗାରରେ ଏଭଳି ବ୍ୟବସ୍ଥା କରାଗଲା । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 15 ଜଣ ପିଲା ଆଡମିଶନ କରିଛନ୍ତି । ଆହୁରି ଅଧିକରୁ ଅଧିକ କିଭଳି ଭାବେ ଆଡମିଶନ କରିବେ ସେନେଇ ପଦକ୍ଷେପ ନିଆଯିବ । ଏଥିସହ ପାଠପଢା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ ବୋଲି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଜଣାଇଛନ୍ତି ।
ସେହିପରି ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ଏକେ ଦାସ ମହାପାତ୍ର କହିଛନ୍ତି, ଜେଲରେ କୌଣସି ଅନ୍ତେବାସୀଙ୍କ ଠାରୁ ଫି ଆଦାୟ କରାଯିବ ନାହିଁ । ଭୁବନେଶ୍ବରର 5ଟି ସେଣ୍ଟର ଅଛି । ଭୁବନେଶ୍ବର ଜେଲ ନିକଟରେ ମଧ୍ୟ ଏକ ସେଣ୍ଟର ଅଛି । ସେହି ସେଣ୍ଟରକୁ ଯାଇ ଅନ୍ତେବାସୀ ପାଠ ପଢିପାରିବେ ନଚେତ୍ ଅଧ୍ୟାପକମାନେ ଆସି ଜେଲରେ ଶିକ୍ଷାଦାନ କରିବେ । ବର୍ତ୍ତମାନ ମହାମାରୀ ଭୟବହତା ରହିଥିବାରୁ ଅନଲାଇନ ମାଧ୍ୟମରେ କ୍ଲାସର ବ୍ୟବସ୍ଥା କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ