ଭୁବନେଶ୍ବର: ପ୍ରଶ୍ନ ଘେରରେ ରାଜ୍ୟର ବ୍ୟାଙ୍କିଙ୍ଗ ବ୍ୟବସ୍ଥା । ବ୍ୟାଙ୍କରେ ଟଙ୍କା କେତେ ସୁରକ୍ଷିତ ସେନେଇ ଆରମ୍ଭ ହୋଇଛି ଆଲୋଚନା । ତେବେ ବ୍ୟାଙ୍କରେ ଲୋକଙ୍କ ଟଙ୍କା ବିଲକୁଲ ସୁରକ୍ଷିତ ନୁହେଁ ବୋଲି କହିଛି ଖୋଦ ସରକାରଙ୍କ ଅର୍ଥ ବିଭାଗ । ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏନେଇ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ସ୍ପଷ୍ଟ ଲେଖା ଯାଇଛି ଯେ, ଅନେକ ବ୍ୟାଙ୍କ ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ରାଜ୍ୟ ସରକାର 18ଟି ରାଷ୍ଟ୍ରାୟତ୍ତ, 8ଟି ଘରୋଇ, ଗୋଟିଏ କ୍ଷୁଦ୍ର ବ୍ୟାଙ୍କ, 2ଟି ଆରଆରବି, ଗୋଟିଏ ସମବାୟ ବ୍ୟାଙ୍କକୁ କାରବାର ପାଇଁ ଅନୁବନ୍ଧିତ କରିଛନ୍ତି। ଏହା ସତ୍ତ୍ବେ ବି ବ୍ୟାଙ୍କ ଉପରେ ଭରସା ପାଉନି। ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ସରକାର ରିସ୍କ ନେବାକୁ ପ୍ରସ୍ତୁତ ନୁହନ୍ତି।
ଫଳରେ ଟ୍ରେଜେରୀରୁ ଟଙ୍କା ଉଠାଇ ଖର୍ଚ୍ଚ କରିବାକୁ ଚିଠିରେ ଜୋର ଦିଆଯାଇଛି। ତେଣୁ ଯଦି କୌଣସି ଅଧିକାରୀ ଟ୍ରେଜେରୀରୁ ଟଙ୍କା ଉଠାଇ ବ୍ୟାଙ୍କରେ ଅଧିକ ସମୟ ଜମା ରଖିବେ ତେବେ ଏହାକୁ ଆର୍ଥିକ ଅନିୟମିତତା ବୋଲି ଧରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ