ଭୁବନେଶ୍ବର: ବଢୁଛି କୋରୋନାର ଭୟାବହତା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ସେଠାରେ ସେ ଲୋକଙ୍କୁ ସଚେତନ କରିବା ସହ କୋରୋନା ଏକ ମହାମାରୀ ନୁହେଁ ବୋଲି କହିଛନ୍ତି ।
ଏହାସହ କୋରୋନା 117 ଦେଶକୁ ବ୍ୟାପିଛି । 1 ଲକ୍ଷ 25 ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । WHO ସୂଚନା ଅନୁଯାୟୀ, ଚୀନରେ ଦୁଇ ତୃତୀୟାଂଶ ଲୋକ ଆକ୍ରାନ୍ତ ଥିବାବେଳେ ଚୀନ ବାହାରେ ଏକ ତୃତୀୟାଂଶ ଆକ୍ରାନ୍ତ ଅଛନ୍ତି । କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 80 ପ୍ରତିଶତ ସାଧାରଣ ରୋଗୀ ଚି଼ହ୍ନଟ ହୋଇଛନ୍ତି। 15 ପ୍ରତିଶତ ଗୁରୁତର ଓ 5 ପ୍ରତିଶତ ଅଧିକ ଗୁରୁତର ଅଛନ୍ତି ।
ଏହାସହ ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦେଶରେ 75 ଜଣ ଆକ୍ରାନ୍ତ ଥିବାବେଳେ ଜଣେ ମୃତାହତ ହୋଇଛନ୍ତି । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ପଜିଟିଭ ମାମଲା ଆସିନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 17ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ରହିଛି ।
ତେଣୁ କୋରୋନା ମହାମାରୀ ନୁହେଁ । WHO ଏହାକୁ ମହାମାରୀ ଘୋଷଣା କରିଥିବାବେଳେ, ଆମ ଦେଶ ଓ ରାଜ୍ୟରେ ଏହା ମହାମାରୀର ରୂପ ନେଇନାହିଁ | ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦେଶରେ କୋରୋନା ଭୟାବହ ରୂପ ନେଇନାହିଁ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ