ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନିଜ ସରକାରର ବିକାଶ ମୂଳକ ଯୋଜନା ଓ ସୁଫଳ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜବାବକୁ ବିରୋଧୀ କଡା ସମାଲୋଚନା କରିଥିବା ବେଳେ, ବିରୋଧୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ବିରୋଧୀ ଅନେକ କିଛି କହିବେ । ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇନାହିଁ । ରାଜ୍ୟ ପୋଲିସ ସବୁ ଘଟଣାର ନିରପେକ୍ଷ ତଦନ୍ତ କରୁଛି ।
ସମସ୍ତ ଘଟଣାକୁ ନେଇ ବିରୋଧୀ ଯେଉଁ ସିବିଆଇ କଥା କହୁଛନ୍ତି, ତାହା ଦିନେ କଂଗ୍ରେସର ଏଜେଣ୍ଟ ଥିଲା । ଏବେ ବିଜେପିର ଏଜେଣ୍ଟ । ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଯେଉଁ ଜବାବ ରଖିଛନ୍ତି ତାହା ସତ୍ୟ ଉପରେ ଆଧାରିତ । ବିରୋଧୀଙ୍କ କାମ ଅଭିଯୋଗ କରିବା ବୋଲି ପ୍ରମିଳା କହିଛନ୍ତି ।
ସେହିପରି ସରକାରୀ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ ପ୍ରସଙ୍ଗରେ ପ୍ରମିଳା କହିଛନ୍ତି, ରାଜ୍ୟର ବିକାଶ ପାଇଁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ ଏଥିରେ କୌଣସି ଅସୁବିଧା ନାହିଁ । ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଅଫିସର ମାନେ ଅଲଗା, ଦଳ ଅଲଗା । କୌଣସି ସରକାରୀ କର୍ମଚାରୀ ବିଜେଡି କାର୍ଯ୍ୟାଳୟକୁ ଆସିନାହାଁନ୍ତି ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ