ଭୁବନେଶ୍ବର: ପିପିଲି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତିନି ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରିକି ଦଳର ପ୍ରାର୍ଥୀ ଏବଂ ରଣନୀତି ପ୍ରସ୍ତୁତ ହେଉଛି । ତିନି ପ୍ରମୁଖ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇବ । ଏନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।
ପିପିଲି ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଖୁବଶୀଘ୍ର ଏଆସିସି ପ୍ରାର୍ଥୀ ଘୋଷଣା କରିବ । ଦଳ ସ୍ଥାନୀୟ ସମସ୍ୟା ସହ ରାଜ୍ୟର ପ୍ରମୁଖ ସମସ୍ୟା ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ସେପଟେ ବିଜେପି ମଧ୍ୟ ପିପିଲି ନିର୍ବାଚନକୁ ନେଇ ବେଶ୍ ଆଶାବାଦୀ ରହିଛି । ଦଳ ଏଠାରେ ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ମୋହନ ମାଝୀ । ସେ କହିଛନ୍ତି ଯେ ଦଳ ଗତ ନିର୍ବାଚନରେ କମ୍ ଭୋଟରେ ପରାଜିତ ହୋଇଥିଲା । ଏହାସହ ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ସମର୍ଥିତ ପାର୍ଥୀ ବିଜୟ ହୋଇଛି । ତେଣୁ ସେଠାରେ ବିଜେପି ବିଜୟ ଲାଭ କରିବ ବୋଲି ସେ କହିଛନ୍ତି । ବିଜେପି ଏଠାରେ ପୁରୀ ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କୁ ପାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି ।
ସେପଟେ ପିପିଲି ବିଜେଡିର ଅଭ୍ଯଦ ଗଡ । ଦିବଂଗତ ନେତା ପ୍ରଦୀପ ମହାରଥୀ ଏଠାରୁ ଲଗାତାର ବିଜୟ ହୋଇଛନ୍ତି । ଦଳ ଏଠାରେ ନିଶ୍ଚୟ ବିଜୟ ହାସଲ କରିବ । ପିପିଲି ବିଜେଡିର ଥିଲା ଓ ରହିବ ବୋଲି କହିଛନ୍ତି ଧ୍ରୁବ । ବିଜେଡି ଏଠାରେ ପ୍ରଦୀପ ମହାରଥୀଙ୍କ ପରିବାରରୁ କାହାକୁ ପାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ